ପରୀକ୍ଷାଫଳ ନ ବାହାରିବା ପ୍ରତିବାଦରେ ଘେରାଉ

ବାରିପଦା ଅଫିସ,୭ା୭- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ଶ୍ରୀମା ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଭୋକେସନାଲ ପରୀକ୍ଷା ଦେଇଥିବା ୨୪ ଜଣ ଛାତ୍ରୀଙ୍କ ପରୀକ୍ଷା ଫଳ ଏଯାଏ ବାହାରି ନାହିଁ। ଦୁଇ ଜଣ ଛାତ୍ରୀ ଅନୁପସ୍ଥିତ ଥିବା ଦର୍ଶାଯାଉଥିବା ବେଳେ ଅନ୍ୟମାନଙ୍କ ପରୀକ୍ଷା ଫଳ ପ୍ରକାଶ କରା ନ ଯିବା ପ୍ରତିବାଦରେ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଆସୋସିଏଶନ (ମାରିସା) ପକ୍ଷରୁ ଶନିବାର ଘେରାଉ ଆନ୍ଦୋଳନ କରାଯାଇଥିଲା। ମାରିସା ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ୱରେ ଛାତ୍ରନେତାମାନେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ସକାଳ ୭ ଟା ୩୦ ରୁ ୪ ଟା ପର୍ଯ୍ୟନ୍ତ ପ୍ରତିବାଦ ଜଣାଇଥିଲେ। ଗତ ୩ ତାରିଖରେ ମାରିସା କର୍ମକର୍ତ୍ତା କଲେଜର କର୍ତ୍ତୃପକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ। ଏହାସତ୍ତ୍ୱେ କୌଣସି ପଦକ୍ଷେପ ନିଆ ନ ଯିବାରୁ ସେମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିଥିବା ମାରିସା ସଭାପତି ମୁର୍ମୁ କହିଛନ୍ତି। ଆନ୍ଦୋଳନ ବେଳେ ସଂଗଠନର ଉପସଭାପତି କୁନୁ ମାରାଣ୍ଡି, ସମ୍ପାଦକ ରାମଚନ୍ଦ୍ର ହେମ୍ବ୍ରମ, ସହ ସମ୍ପାଦକ ସମୀର ଟୁଡୁ, ବାସନ୍ତୀ ଟୁଡୁ, ସସ୍ମିତା ସିଂ, ରୀତା ପାତ୍ର, ବବିତା ସାହୁଙ୍କ ସମେତ କଲେଜର ଛାତ୍ରୀମାନେ ଉପସ୍ଥିତ ଥିଲେ।