ପରିମଳ ସଚେତନତା: ଝାଡୁ ଧରିଲେ ଜିଲାପାଳ

ଶେରଗଡ଼,୧୪।୮(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ରୁ ବୁଧବାର ସକାଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଝାଡୁଧରି ପରିମଳ ସଚେତନତାର ଶୁଭାରମ୍ଭ କରିଛନ୍ତି। ସକାଳ ସାଢ଼େ ୬ଟାରେ ଶେରଗଡ଼ ଚାରିଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଛିଡ଼ାହୋଇ ସଚେତନତା ଅଭିଯାନ ଆରମ୍ଭ କରିଥିଲେ। ନିଜ ସହର, ଗ୍ରାମକୁ ସଫା ରଖିବାସହ ମହାମାରୀ ଦାଉରୁ ରକ୍ଷା ପାଇବାକୁ ସେ ଆହ୍ବାନ ଦେଇଛନ୍ତି। ଶେରଗଡ଼ ତିନି ଛକ ହୋଇ ବଜାର ଛକରେ ବ୍ୟବସାୟୀ, ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ଏହି ବାର୍ତ୍ତା ଯେପରି ଶେରଗଡ଼ ବ୍ଲକର ସମସ୍ତ ଗ୍ରାମକୁ ପ୍ରଚାରିତ କରିବା ସହ ବ୍ୟାପକ ସଚେତନତା କରିବାକୁ ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ, ବୁଦ୍ଧିଜୀବୀ, ଜନନେତା, ଯୁବପିଢ଼ି, ଛାତ୍ରୀଛାତ୍ରଙ୍କୁ ସାମିଲ କରି ଏକ ଜନ ଆନ୍ଦୋଳନ ଜାରି ରଖିବାକୁ କହିଥିଲେ। ଶେରଗଡ଼ ବିଡିଓ ସୁରଞ୍ଜନ କୁମାର ସାହୁଙ୍କ ସଂଯୋଜନା ଓ ତହସିଲଦାର ଡ. ଦୟାସିନ୍ଧୁ ପରିଡାଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷା ସାରସ ସ୍ବାଇଁ, ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ, ବ୍ଲକ ଉପାଧ୍ୟକ୍ଷ ବିଶ୍ୱନାଥ ସ୍ବାଇଁ, ଜିଲାପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ରଙ୍କ ସମେତ ବହୁ ତୁଙ୍ଗନେତା ଉପସ୍ଥିତ ଥିଲେ।