ପରିବାର ସଦସ୍ୟଙ୍କ ହାତ,ଗୋଡ଼ ବାନ୍ଧି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର

ସାକ୍ଷୀଗୋପାଳ,୩।୮(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ରେଳଷ୍ଟେଶନ ନିକଟ ଯାଦବ ନିବାସରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇ ପରିବାରର ୭ ସଦସ୍ୟଙ୍କ ମୁଣ୍ଡରେ ପିସ୍ତଲ ଲଗାଇ, ହାତଗୋଡ଼ ବାନ୍ଧି ଲକ୍ଷାଧିକ ଟଙ୍କା, ସୁନା,ରୁପା ଅଳଙ୍କାର ସହିତ ମୋବାଇଲ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଶୁକ୍ରବାର ରାତିରେ ପ୍ରାୟ ୧୦ ଜଣ ଦୁର୍ବୃତ୍ତ ଯାଦବ ନାୟକଙ୍କ ଘର ମୁଖ୍ୟ ଫାଟକ ଓ ଗ୍ରୀଲ ତାଲା ଭାଙ୍ଗିବା ପରେ ଗୋଟିଏ ଝରକା ଗ୍ରୀଲ ତାଡ଼ି ଘର ଭିତରକୁ ପଶିଥିଲେ। ତଳ ଘରେ ଭଡ଼ାରେ ରହୁଥିବା ଗଦାଧର ରଥ ଓ ତାଙ୍କ ସ୍ତ୍ରୀ କଲ୍ୟାଣୀଙ୍କୁ ବାନ୍ଧି ଗଡ୍‌ରେଜରୁ ୪୦ ହଜାର ଟଙ୍କା ଓ ୪ଭରି ସୁନା ଅଳଙ୍କାର ଲୁଟି ନେଇଥିଲେ।
ସେହିପରି ଉପର ତାଲାରେ ରହୁଥିବା ଘର ମାଲିକ ଯାଦବ ନାୟକ, ସ୍ତ୍ରୀ ମୀନା ଦେବୀ, ଦୁଇ ଝିଅ ଗୀତାଞ୍ଜଳି, ପୁଷ୍ପାଞ୍ଜଳି ଓ ନାତି ସୌମ୍ୟରଞ୍ଜନଙ୍କୁ ମାଡ଼ ମାରିବା ସହ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ଜୀବନରେ ମାରିଦେବାକୁ ଧମକ ଦେଇ ନଗଦ ୧ ଲକ୍ଷ ଟଙ୍କା, ୧୨ ଭରି ସୁନା, ରୁପା ଅଳଙ୍କାର, ୩ ମୋବାଇଲ ଓ ୪ ହାତ ଘଣ୍ଟା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।