Categories: ଖେଳ

ପରିବାର ପୋଷିବା ପାଇଁ ଦିନେ ଚୋରି କରିଥିଲେ, ଏବେ ଭାଙ୍ଗିଲେ ଲାରାଙ୍କ ରେକର୍ଡ

ପୋର୍ଟ-ଅଫ୍‌-ସ୍ପେନ୍‌,୧୨।୮: ସ୍ଥାନୀୟ କୁଇନ୍ସ ପାର୍କ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଭାରତ ୫୯ରନ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଷ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ଲାରା ଏକଦିବସୀୟ ମ୍ୟାଚରେ ୧୦,୩୫୩ ରନ ସଂଗ୍ରହ କରିଥିବାବେଳେ ଗେଲ୍‌ ତାଙ୍କୁ ପଛରେ ପକାଇ ୧୦,୩୫୩ ରନ୍‌ ସ୍କୋର କରିଛନ୍ତି। ସେହିପରି ଲାରା ଓ୍ବେଷ୍ଟଇଣ୍ଡିଜ୍‌ ପକ୍ଷରୁ ୨୯୯ଟି ମ୍ୟାଚ୍‌ ଖେଳିଥିବାବେଳେ ଗେଲ୍‌ ୩୦୦ଟି ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। କେବଳ ଏତିକି ନୁହେଁ ଗେଲଙ୍କ ନାଁରେ ଆହୁରି ଅନେକ ରେକର୍ଡ ରହିଛି। ସେ ଓ୍ବେଷ୍ଟଇଣ୍ଡିଜର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏକଦିବସୀୟ କ୍ରିକେଟରେ ୨୩ଟି ଶତକ ଲଗାଇଛନ୍ତି। ସେହିପରି ଏକଦିବସୀୟ ମ୍ୟାଚରେ ୩୨୬ଟି ଛକା ମାରିବାର ରେଡର୍କ ବି ତାଙ୍କ ନାଁରେ ରହିଛି। ଆହୁରି ମଧ୍ୟ ଓ୍ବେଷ୍ଟଇଣ୍ଡିଜର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ସେ ଏକଦିବସୀୟ କ୍ରିକେଟରେ ଦ୍ୱିଶତକ ଅର୍ଜନ କରିଛନ୍ତି। ଖୁବ୍‌ କମ୍‌ ଲୋକ ଜାଣିଥିବେ ଏତେ ସବୁ ରେକର୍ଡର ଅଧିକାରୀ କ୍ରିସ୍‌ ଗେଲ୍‌ଙ୍କୁ ଜୀବନରେ ବହୁ ସଂଘର୍ଷ କରିବାକୁ ପଡିଥିଲା। ପିଲାବେଳେ ମାତାପିତାଙ୍କ ସହ ଏକ ଝୁମ୍ପୁଡି ଘରେ ରହୁଥିଲେ ଗେଲ୍‌। ପରିବାର ପୋଷିବା ପାଇଁ ସେ ରାସ୍ତା କଡକୁ ଅଳିଆ ଉଠାଉଥିଲେ। ଏପରିକି ପେଟ ପୋଷିବା ପାଇଁ ତାଙ୍କୁ ଚୋରି କରିବାକୁ ପଡିଥିଲା ବୋଲି ଗେଲ୍‌ ଏକ ସାକ୍ଷାତକାରରେ କହିଥିଲେ।

Share