ପରିବାରରେ ରାମାୟଣର ସମସ୍ତ ଚରିତ୍ର: ସୋନାକ୍ଷୀଙ୍କୁ ଜଣାନାହିଁ ବିଷୟ ବସ୍ତୁ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଗର୍ଲ ଭାବେ ବେଶ୍‌ ଜଣାଶୁଣା ସୋନାକ୍ଷୀ ସିହ୍ନା। ନିଜ ଅଭିନୟର ପାରଦର୍ଶିତା ପାଇଁ ସୋନାକ୍ଷୀ ବଡ଼ ବଡ଼ ଅଭିନେତାଙ୍କ ସହ କାମ କରିସାରିଛନ୍ତି। ସୋନାକ୍ଷୀଙ୍କ ଦମ୍‌ଦାର ଅଭିନୟ ଓ ଦବଙ୍ଗଗିରି ପାଇଁ ପ୍ରଶଂସକ ତାଙ୍କୁ ବେଶ୍‌ ପସନ୍ଦ କରନ୍ତି। ହେଲେ ଶୁକ୍ରବାର ଗୋଟିଏ ସହଜ ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ପ୍ରଶଂସକଙ୍କ ଟ୍ରୋଲର ଶିକାର ହୋଇଛନ୍ତି ଦବଙ୍ଗ ଗର୍ଲ। କଥା ହେଉଛି ଶୁକ୍ରବାର ଟେଲିଭିଜନରେ ପ୍ରସାରିତ କୌନ ବନେଗା କରୋଡପତି କାର୍ଯ୍ୟକ୍ରମର ସ୍ବତନ୍ତ୍ର ଅଧ୍ୟାୟରେ ରାଜସ୍ଥାନ ବାଡ଼ମେରର ରୁମା ଦେବୀ ଓ ସୋନାକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ନାରୀ ଶକ୍ତି ସମ୍ମାନ ପାଇଥିବା ରୁମାଦେବୀଙ୍କୁ ସମର୍ଥନ କରିବା ପାଇଁ ସୋନାକ୍ଷୀ କେବିସି କରମବୀରରେ ନଜର ଆସିଥିଲେ। ସେହି ସମୟରେ କାର୍ଯ୍ୟକ୍ରମର ଉପସ୍ଥାପକ ଅମିତାଭ ବଚ୍ଚନ ତାଙ୍କୁ ଏକ ପ୍ରଶ୍ନ କରିଥିଲେ। କିନ୍ତୁ ସୋନାକ୍ଷୀ ଏହାର ଉତ୍ତର ଦେଇପାରି ନ ଥିଲେ। ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ରାମାୟଣ ଅନୁସାରେ ହନୁମାନ କାହା ପାଇଁ ସଞ୍ଜିବନି ଜଡିବୁଟି ଆଣିଥିଲେ ବୋଲି ଅମିତାଭ ସୋନାକ୍ଷୀଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ସେ ଅମିତାଭଙ୍କୁ ନିରାଶ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତାଙ୍କ ଘରର ନାମ ରାମାୟଣ ହୋଇଥିବା ବେଳେ ପରିବାରରେ ରାମାୟଣର ସମସ୍ତ ଚରିତ୍ରଙ୍କର ନାମ ରହିଛି। ଆଉ ତାଙ୍କୁ ହିଁ ରାମାୟଣ ସମ୍ପର୍କିତ ପ୍ରଶ୍ନର ଉତ୍ତର ଜଣା ନ ଥିବ ଏକଥା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ ଅମିତାଭ। ଆଜ୍ଞା ହଁ,ରୁମାଦେବୀଙ୍କୁ ଏହାର ଉତ୍ତର ଜଣା ନ ଥିବା ବେଳେ ସୋନକ୍ଷୀ ପ୍ରଥମେ ସୀତା ଓ ପରେ ରାମ କହିଥିଲେ। ତେବେ ନିଜ ଉତ୍ତରରେ ସନୁଷ୍ଟ ନ ଥିବାରୁ ସେ ଲାଇଫ ଲାଇନର ସାହାଯ୍ୟ ନେଇଥିଲେ। ଆଉ ଏକ୍ସପର୍ଟ ଏହାର ଉତ୍ତର ଲକ୍ଷ୍ମଣ ଦେଇଥିଲେ। ଏହାପରେ ସୋନାକ୍ଷୀ ରାମାୟଣ ବିଷୟବସ୍ତୁଠାରୁ ଯେ ବହୁ ଦୂରରେ ଏହା ସ୍ପଷ୍ଟ ହେବା ସହ ଏହାକୁ ନେଇ ତାଙ୍କ ପ୍ରଶଂସକ ତାଙ୍କୁ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅନନ୍ୟା ପାଣ୍ଡେଙ୍କ ସହ ତୁଳନା କରିଛନ୍ତି। ଏଥିସହ ଏହାକୁ ନେଇ ଶନିବାର ସୋସିଆଲ ମିଡିଆରେ#YoSonakshiSoDumb ନମ୍ବର ଓ୍ବାନ ଟ୍ରେଣ୍ଡ ହୋଇଯାଇଥିବା ଦେଖିବାକୁ ମିଳିଛି।

Share