Categories: ଜାତୀୟ

ପରିତ୍ୟକ୍ତା ହିନ୍ଦୁ ମହିଳାଙ୍କୁ ନ୍ୟାୟ ମିଳିବା ପାଇଁ ଅଣାଯିବ ଆଇନ: ଯୋଗୀ

ନୂଆଦିଲ୍ଲୀ,୨୫।୯: ପରିତ୍ୟକ୍ତା ହିନ୍ଦୁ ମହିଳାଙ୍କୁ ନ୍ୟାୟ ମିଳିବା ପାଇଁ ଆଇନ ଅଣାଯିବ। ବୁଧବାର ତିନି ତଲାକ୍‌ ପୀଡ଼ିତା ମହିଳାଙ୍କୁ ଭେଟି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ସୂଚନା ଦେଇଛନ୍ତି। ହିନ୍ଦୁ ସମାଜରେ ବିବାହ କରି ଅନ୍ୟ ଜଣେ ମହିଳାଙ୍କୁ ପାଖରେ ରଖିଥିବା ପୁରୁଷଙ୍କ ଦଣ୍ଡିତ କରାଯିବା ଲାଗି ଆଇନର ଆବଶ୍ୟକତା ରହିଛି ବୋଲି ଯୋଗୀ କହିଛନ୍ତି। ତିନି ତଲାକ୍‌ ପୀଡ଼ିତାଙ୍କ ମାମଲା ସରକାର ଲଢ଼ିବେ। ଏହା ସହିତ ସେମାନଙ୍କୁ ୬ ହଜାର ଟଙ୍କା ଅନୁଦାନ ଯୋଗାଇ ଦିଆଯିବାର ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି। ବାସଗୃହ ନ ଥିବା ମହିଳା ରହିବା ପାଇଁ ଘର, ପିଲାଙ୍କ ପାଠପଢ଼ା ସୁବିଧା, ଛାତ୍ର ବୃତ୍ତି ତଥା ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଏଭଳି ମହିଳାଙ୍କ ପରିବାରକୁ ସ୍ବାସ୍ଥ୍ୟ ସେବା ଯୋଗାଇବା ନେଇ ଯୋଗୀ ଗୁରୁତ୍ୱାରୋପ କରିଛନ୍ତି। ନୂଆ ଆଇନ ଅଣାଗଲେ ରାଜ୍ୟର ୨୩ ଲକ୍ଷରୁ ଅଧିକ ପରିତ୍ୟକ୍ତା ମହିଳା ଉପକୃତ ହୋଇପାରିବେ ବୋଲି କୁହାଯାଉଛି।

Share