Categories: ଭଦ୍ରକ

ପରାମର୍ଶ ଶିବିରରେ ୫୫୬ ନିଯୁକ୍ତି ଆଶାୟୀ

ବନ୍ତ, ୧୪।୮ (ଡି.ଏନ.ଏ.): ବନ୍ତ ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ଦୀନଦୟାଲ ଗ୍ରାମୀଣ କୌଶଳ ଯୋଜନା ଆନୁକୂଲ୍ୟରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପଞ୍ଜୀକରଣ, ସହାୟତା ସମେତ ମୋଟ ୧୫ଟି ଷ୍ଟଲ ହୋଇଥିଲା। ୧୨ଟି ଟ୍ରେଡ୍‌ ପାଇଁ ମୋଟ ୫୫୬ ଜଣ ନିଯୁକ୍ତି ଆଶାୟୀ ଯୁବତୀ ଯୁବକ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୨୭୭ ଜଣଙ୍କୁ ଚୟନ କରାଯାଇଥିବା ବେଳେ ଆସନ୍ତା ସୋମବାରଠାରୁ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ଜଣାଯାଇଛି।
ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ଶିବିରକୁ ଉଦ୍‌ଘାଟନ କରିଥିଲେ। ବିଡିଓ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଭଦ୍ରକ ଡିଆର୍‌ଡିଏର ଏପିଡି(ଦକ୍ଷତା) ରୂପାଲି ମହାପାତ୍ର, ଓଡ଼ିଶା ଜୀବିକା ମିଶନ ଜିଲା ପ୍ରକଳ୍ପ ପରିଚାଳକ ସଞ୍ଜୟ ବାରିକ, ଡିଆର୍‌ଡିଏ ଜିଲା ସଂଯୋଜକ(ଦକ୍ଷତା) ପ୍ରିୟଦର୍ଶନ ଜେନା, ଜିପିଓ ନିଶିକାନ୍ତ ଖୁଣ୍ଟିଆ, ବ୍ଲକ ଜୀବିକା ମିଶନ ସଂଯୋଜିକା ବନଜା ବାରିକ, ସସ୍ମିତା ସାହୁ, ଦକ୍ଷତା ବିକାଶ ସଂଯୋଜିକା ସ୍ମିତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମାଞ୍ଚଳର ଯୁବତୀ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ଦ୍ୱାରା ଅଧିକ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିବା ସମ୍ପର୍କରେ ସେମାନେ ଆଲୋକପାତ କରିଥିଲେ। ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ବ୍ଲକ ପ୍ରକଳ୍ପ ପରିଚାଳିକା ସସ୍ମିତା ଦାସ। ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଭିନ୍ନ ନିଯୁକ୍ତି ସଂସ୍ଥାର ରମାକାନ୍ତ ମହାନ୍ତି, ସତ୍ୟରଞ୍ଜନ ମିଶ୍ର, ରଶ୍ମିରଞ୍ଜନ ମହାରଣା, ସୁକାନ୍ତ ସାହୁଙ୍କ ସମେତ ୧୨ ପିଆଇଏ(ପ୍ରୋଜେକ୍ଟ ଇପ୍ଲିମେଣ୍ଟେସନ ଏଜେନ୍ସି) ଯୋଗଦେଇ ବିଭିନ୍ନ ଟ୍ରେଡ୍‌ ସମ୍ପର୍କରେ ପରାମର୍ଶ ଦେଇଥିଲେ।