ପରାଜୟରେ ମୋଦି ନିରାଶ

ନୂଆଦିଲ୍ଲୀ, ୧୧।୭ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ହାଇଭୋଲଟେଜ ସେମିଫାଇନାଲ ମ୍ୟାଚ୍‌ରେ ବୁଧବାର ଭାରତୀୟ ଦଳ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛି। ଭାରତୀୟ ଦଳର ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରାଶବ୍ୟକ୍ତ କରିଛନ୍ତି। କିନ୍ତୁ ବିରାଟ ବାହିନୀର ଦଳର ଲଢ଼ୁଆ ମନୋବୃତିରେ ପ୍ରଭାବିତ ହୋଇଥିବା ମୋଦି ତାଙ୍କ ଟୁଇଟର ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ‘ନିରାଶଜନକ ଫଳାଫଳ। କିନ୍ତୁ ମ୍ୟାଚ୍‌ର ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳର ଲଢ଼ୁଆ ମନୋବୃତି ଦେଖିବାକୁ ଭଲ ଲାଗିଥିଲା। ଟୁର୍ନାମେଣ୍ଟ ସାରା ଭାରତ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ବହୁତ ଭଲ ପ୍ରଦର୍ଶନ କରିଥିଲା, ଯାହା ଆମକୁ ଗର୍ବିତ କରିଛି। ଜୟ ଓ ପରାଜୟ ଜୀବନର ଏକ ଅଂଶ। ଭବିଷ୍ୟତ ଲାଗି ଶୁଭକାମନା’ ବୋଲି ମୋଦି ଭାରତ ଓ ନ୍ୟୁଜିଲଣ୍ଡ ସେମିଫାଇନାଲ ମ୍ୟାଚ୍‌ ପରେ ତାଙ୍କ ଟୁଇଟର୍‌ ପୃଷ୍ଠାରେ ଲେଖିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୨୪୦ ରନର ଲକ୍ଷ୍ୟକୁ ପିଛା କରି ଭାରତ ୪୯.୩ ଓଭରରେ ୨୨୧ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲ। ପୂର୍ବରୁ ଭାରତ ଲିଗ୍‌ ପର୍ଯ୍ୟାୟରେ ୯ ମ୍ୟାଚ୍‌ରୁ ୭ ବିଜୟ ଏବଂ ଗୋଟିଏ ଲେଖାଏ ପରାଜୟ ଓ ବିନା ଫଳାଫଳ ସହ ୧୫ ପଏଣ୍ଟ ପାଇ ଟେବୁଲ ଶୀର୍ଷରେ ରହିଥିଲା।

Share