Categories: ଜାତୀୟ

ପରଲୋକରେ ବିଶିଷ୍ଟ ଚିତ୍ରକାର: ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୭।୩: ବିଶିଷ୍ଟ ଚିତ୍ରକାର, ଲେଖକ ତଥା ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିବା ସତୀଶ ଗୁଜରାଲଙ୍କର ପରଲୋକ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ନିଧନ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲ। ଦୀର୍ଘ ଦିନରୁ ସେ ଅନେକ ରୋଗରେ ଆକ୍ରାନ୍ତ ଥିଲେ। ସୂଚନାଯୋଗ୍ୟ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ. ଗୁଜରାଲଙ୍କ ସେ ସାନ ଭାଇ। ସତୀଶ ଜଣେ ପ୍ରସିଦ୍ଧ ମୂର୍ତ୍ତିକାର ଏବଂ ବାସ୍ତୁକାର ଥିଲେ। ଏଥିସହ କଳା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ଏଥିପାଇଁ ଭାରତ ସରକାର ତାଙ୍କୁ ୧୯୯୯ରେ ପଦ୍ମ ବିଭୂଷଣରେ ସମ୍ମାନିତ କରିଥିଲେ। ୧୯୨୫ରେ ଲାହୋରରେ ଜନ୍ମିତ ଗୁଜରାଲ ଦେଶ ବିଭାଜନ ପରେ ଶିମ୍‌ଲା ଚାଲିଯାଇଥିଲେ। ସେଠାରେ ସେ ଚିତ୍ରକାର ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ କିରଣ ଗୁଜରାଲଙ୍କୁ ବିବାହ କରିଥିଲେ। ଉତ୍କୃଷ୍ଟ ଚିତ୍ରକଳା ପାଇଁ ତାଙ୍କୁ ମେକ୍ସିକୋର ‘ଲିଓନାର୍ଡୋ ଦା ଭିନ୍ସି’ ଏବଂ ବେଲଜିୟମ ରାଜାଙ୍କ ‘ଅର୍ଡର ଅଫ କ୍ରାଉନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅପରପକ୍ଷେ ସତୀଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ଟୁଇଟରେ ମୋଦି ସତୀଶଙ୍କୁ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ କହିବା ସହ ତାଙ୍କ ସୃଜନଶୀଳତା ପାଇଁ ସେ ସର୍ବଦା ପ୍ରଶଂସିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share