କେନ୍ଦୁଝର,୫।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ ଆଇନଜୀବୀ ତଥା ଜିଲା ଓକିଲ ସଂଘର ପୂର୍ବତନ ସଭାପତି
ବିଭୂତି ଭୂଷଣ ପ୍ରଧାନଙ୍କ ଗତ କାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି। ରାତି ପ୍ରାୟ ୨ ଟାରେ ତାଙ୍କ କେନ୍ଦୁଝର ସହର ବାସଭବନରେ ଦୀର୍ଘ ଅସୁସ୍ଥତା ପରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ସେ କେନ୍ଦୁଝର ଆଇନ କଲେଜର ପ୍ରତିଷ୍ଠାତା ସଦସ୍ୟ ଥିଲେ ଯାହା ବର୍ତ୍ତମାନ ପ୍ରଭାସ ମଞ୍ଜରୀ ଆଇନ କଲେଜ, କେନ୍ଦୁଝର ନାମରେ ନାମିତ । ସ୍ବର୍ଗତ ପ୍ରଧାନ ସରଳ ସ୍ବଭାବ ଏବଂ କର୍ତ୍ତବ୍ୟନିଷ୍ଠ ଓକିଲ ଭାବରେ ପରିଚିତ ଥିଲେ। ସେ ବହୁ ବର୍ଷ ଧରି ସରକାରୀ ଓକିଲ ମଧ୍ୟ ଥିଲେ। ତାଙ୍କ ଦୁଃଖଦ ବିୟୋଗରେ ବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଖବର ପ୍ରସାରିତ ହେବ ପରେ ସକାଳୁ ତାଙ୍କ ବାସ ଭବନରେ ଶୁଭେଚ୍ଛୁଙ୍କ ଭିଡ ଜମିଥିଲା। ବହୁ ଆଇନଜୀବୀ , ବିଶିଷ୍ଟ ବ୍ୟକ୍ତି ତଥା ବନ୍ଧୁ ବାନ୍ଧବ ଉପସ୍ଥିତ ରହି ତାଙ୍କ ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କୁ ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ଏହା ସହ ଜିଲା ଓକିଲ ସଂଘ ସଭା ଗୃହରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଛି।

