ପରମ୍ପରା ଆଗରେ ହାର ମାନିଲା କଟକଣା : ବୌଦ୍ଧରେ ପାଳନ ହେଲା ଦଣ୍ଡଯାତ୍ରା

ବୌଦ୍ଧ,୧୩।୪(ସ୍ବ.ପ୍ର): ସୋମବାର ଝାମୁଯାତ୍ରା ଅବସରରେ ପରମ୍ପରା ଆଗରେ ହାର ମାନିଛି ସବୁ କଟକଣା। ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ବିଭିନ୍ନ ଗ୍ରାମରେ ଦଣ୍ଡପର୍ବ ସହ ବହୁ ପୀଠରେ ଝାମୁଯାତ୍ରା ପାଳନ କରାଯାଇଛି। ଲକଡାଉନ କଟକଣା ଯୋଗୁ ଯଦିଓ ଯାତ୍ରାରେ ସାଧାରଣ ଲୋକ ଅଧିକ ସଂଖ୍ୟାରେ ସାମିଲ ହୋଇପାରି ନ ଥିଲେ ତଥାପି ମାନସିକଧାରୀ ଓ ଦଣ୍ଡଯାତ୍ରା ସହ ସମ୍ପୃୃକ୍ତ ପାଟଭୋକ୍ତା ଓ କଳାକାରମାନେ ସମବେତ ହୋଇ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ପୋଲିସ ପକ୍ଷରୁ ଚଢାଉ ସତ୍ତ୍ୱେ କିଛି ସ୍ଥାନରେ ଦଣ୍ଡଯାତ୍ରାର ଧୂଳିଖେଳ ମଧ୍ୟ ଅନୁଷ୍ଠିତ ହୋଇଥିବା ଦେଖାଯାଇଥିଲା। ତେବେ ଅଧିକ ସ୍ଥାନରେ କେବଳ ପୂଜାର୍ଚ୍ଚନା କରାଯାଇ ପରମ୍ପରା ରକ୍ଷା କରାଯିବା ସହିତ ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ଦିଆଯାଇଥିଲା। ସରସରା ଠାରେ ଝାମୁଯାତ୍ରା ଚାଲିଥିବାବେଳେ ପୋଲିସ କିଛି ଲୋକଙ୍କୁ ଉଠାଇ ଆଣି ଅଟକ ରଖିଥିବା ଜଣାଯାଇଛି। ଅନେକ ସ୍ଥାନରେ ବିଷୁବ ମିଳନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ଜଣାଯାଇଛି।