ପରଦାକୁ ଫେରିପାରେ ‘ପ୍ରେମ୍‌’

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଭାଇଜାନ ସଲ୍‌ମାନ ଖାନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖୁସି ଖବର। ପରଦାକୁ ପୁଣି ଫେରିପାରନ୍ତି ପ୍ରେମ୍‌। ଯଦି ଆପଣ ମଧ୍ୟ ସଲ୍‌ମାନଙ୍କ ‘ପ୍ରେମ୍‌’ ଅବତାରର ଫ୍ୟାନ୍‌, ତେବେ ନିଶ୍ଚୟ ପରଦାରେ ପ୍ରେମ୍‌ଙ୍କୁ ଦେଖିବାକୁ ଅପେକ୍ଷା କରି ରହିଥିବେ। ଆଉ ଏହି ଅପ୍‌ଡେଟ୍‌ ସହ ଆପଣଙ୍କ ଅପେକ୍ଷା ଆହୁରି ଉତ୍ସାହଜନକ ହେବାକୁଯାଉଛି।
ସଲ୍‌ମାନ ଏବଂ ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କ ଯୋଡ଼ି ବଲିଉଡ୍‌ରେ ଏକ ସଫଳ ଯୋଡ଼ି ଭାବେ ପରିଚିତ। ଇଏ ହେଉଛନ୍ତି ସେହି ନିର୍ଦ୍ଦେଶକ, ଯିଏ ସଲ୍‌ମାନଙ୍କୁ ଘରେ ଘରେ ପରିଚିତ କରାଇ ଷ୍ଟାର୍‌ଡମ୍‌ ହାସଲ କରିବା ପଛରେ ଥିଲେ। ତାଙ୍କ ଫିଲ୍ମଗୁଡ଼ିକରେ ‘ପ୍ରେମ୍‌’ ଚରିତ୍ରରେ ଅଭିନୟ କରି ସଲ୍‌ମାନ ଖୁବ୍‌ ଲୋକପ୍ରିୟତା ହାସଲ କରିବା ସହ ସୁପର୍‌ଷ୍ଟାର ହୋଇପାରିଲେ। ସୂରଜ ହିଁ ସଲ୍‌ମାନଙ୍କୁ ‘ପ୍ରେମ୍‌’ ନାମରେ ପପୁଲାର କରାଇଥିଲେ। ଦୁହେଁ ଏକାଠି ‘ମୈନେ ପ୍ୟାର କିୟା’, ‘ହମ୍‌ ଆପ୍‌କେ ହେଁ କୌନ୍‌’, ‘ହମ୍‌ ସାଥ୍‌ ସାଥ୍‌ ହେଁ’ ଏବଂ ‘ପ୍ରେମ ରତନ୍‌ ଧନ ପାୟୋ’ ଭଳି ସଫଳ ଚଳଚ୍ଚିତ୍ରମାନ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏପଟେ ସୂରଜ ବାରମ୍ବାର ସଲ୍‌ମାନଙ୍କ ସହ ପୁଣି ଏକ ଫିଲ୍ମ କରିବାକୁ ଯୋଜନା ବନାଉଛନ୍ତି ବୋଲି ଇସାରା ବି ଦେଉଛନ୍ତି। ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସୂରଜ ଖୁଲାସା କରି କହିଛନ୍ତି, ସେ ସଲ୍‌ମାନଙ୍କୁ ନୂଆ ଷ୍ଟୋରି ଶୁଣାଇଛନ୍ତି। ସଲ୍‌ମାନଙ୍କୁ କାହାଣୀ ପସନ୍ଦ ମଧ୍ୟ ଆସିଛି। ଏବେ ନୂଆ ଫିଲ୍ମ ପାଇଁ ସ୍କ୍ରିପ୍ଟ କାମ କରୁଛନ୍ତି ବୋଲି ସୂରଜ କହିଛନ୍ତି।
ସୂରଜ ପୁଣି କହିଛନ୍ତି, ଏହି ସ୍କ୍ରିପ୍ଟ କାମ ଶେଷ ହେବାକୁ ୧-୨ ବର୍ଷ ସମୟ ଲାଗିଯିବ। ଡ୍ରାମା, ଇମୋଶନରେ ଭରପୂର ଏହା ଏକ ଫ୍ୟାମିଲି ଫିଲ୍ମ ହେବ ବୋଲି ସୂରଜ ସୂଚନା ଦେଇଛନ୍ତି। ଏହି ଅପ୍‌ଡେଟ୍‌ ସହ ପୁଣିଥରେ ପରଦାରେ ସଲ୍‌ମାନଙ୍କ ‘ପ୍ରେମ୍‌’ ଅବତାର ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଚଳିତବର୍ଷ ତାଙ୍କ ଅଭିନୀତ ଫିଲ୍ମ ‘ରାଧେ: ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌’ ରିଲିଜ୍‌ ହେବ। ସେହିଭଳି ୨୦୨୧ ଇଦ୍‌ ଅବସରରେ ‘କଭି ଇଦ୍‌ କଭି ଦିଓ୍ବାଲି’ ଫିଲ୍ମ ରିଲିଜ୍‌ ହେବ ବୋଲି ନିକଟରେ ସଲ୍‌ମାନ ଘୋଷଣା କରିଛନ୍ତି।

Share