ପରଦାକୁ ଆସିବ ‘ସତ୍ୟମେବ ଜୟତେ’ର ସିକ୍ୱେଲ, ପ୍ରଥମ ପୋଷ୍ଟର ରିଲିଜ୍‌

ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଆକ୍ସନ, ଡ୍ରାମା ଧର୍ମୀ ଫିଲ୍ମ ‘ସତ୍ୟମେବ ଜୟତେ’ ୨୦୧୮ରେ ମୁକ୍ତିଲାଭ କରିଥିଲା। ଫିଲ୍ମଟି ବକ୍ସ ଅଫିସରେ ସଫଳ ମଧ୍ୟ ହୋଇଥିଲା। ଏବେ ଜନ୍‌ ଏହାର ସିକ୍ୱେଲର ଘୋଷଣା କରିବା ସହ ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ପୋଷ୍ଟରରେ ଜନ୍‌ଙ୍କ ବଡ଼ି ସାଙ୍ଗକୁ ଛାତିରେ ତ୍ରିରଙ୍ଗା କରିଥିବା ଦେଖିବାକୁ ମିଳିଛି। ଏଥିରେ ଲେଖାଯାଇଛି, ‘ତନ୍‌ ମନ୍‌ ଧନ୍‌ ଠାରୁ ବଡ଼ ଜନ, ଗଣ, ମନ’। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ମିଲାପ ଜାଗେରୀ। ଏହା ଆଗାମୀ ବର୍ଷ ଅକ୍ଟୋବର ୨ ଅର୍ଥାତ୍‌ ଗାନ୍ଧୀ ଜୟନ୍ତୀ ଅବସରରେ ରିଲିଜ୍‌ ହେବ। ଏଥିରେ ଜନ୍‌ଙ୍କ ବିପକ୍ଷରେ ଅଭିନେତ୍ରୀ ସାଜିବେ ଦିବ୍ୟା ଖୋସଲା କୁମାର। ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ଭୂଷଣ କୁମାର, କୃଷ୍ଣ କୁମାର, ମୋନିଷା ଆଡଭାନୀ , ନିଖିଲ ଆଡଭାନୀ ଓ ମଧୁ ଭୋଜବାନୀ।

Share