Categories: ରାଜ୍ୟ

ପରଜଙ୍ଗରେ କାଳବୈଶାଖୀ: ବ୍ୟାପକ କ୍ଷତି; ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଉଡ଼ିଲା ଛପର

ପରଜଙ୍ଗ, ୨୮।୫(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ବେଳେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବେଗରେ ପବନ ବହିବାରୁ ବହୁ ଆଜବେଷ୍ଟସ, ଟାଇଲ ଛପର ଉଡ଼ିଯାଇଛି। ଅନେକ ଗୁହାଳ ମଧ୍ୟ ଭାଙ୍ଗିଯାଇଛି। ବହୁ ବଡ଼ ବଡ଼ ଗଛକୁ ଧରାଶାୟୀ କରିଛି କାଳବୈଶାଖୀ। ସେହିପରି କେତେକ ସ୍ଥାନରେ ଖୁଣ୍ଟ ଭାଙ୍ଗି ପଡ଼ିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଚି। ବାରିହାପୁର ଢ଼ାବା ନିକଟରେ ଏକ ଚାକୁଣ୍ଡା ଗଛ ଉପୁଡ଼ି ୫୩ନଂ ଜାତୀୟ ରାଜପଥ ଉପରେ ପଡ଼ିଥିଲା। ଫଳରେ ଦୀର୍ଘ ସମୟ ଯାଏ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ସ୍ଥାନୀୟ ବାସିନ୍ଦା ଗଛ କାଟିବାରୁ ଯାତାୟାତା ସ୍ବାଭାବିକ ହୋଇଛି। ଝଡ଼ତୋଫାନରେ ଫଳ ବଗିଚାରେ ବ୍ୟାପକ କ୍ଷତି ହୋଇଛି। ବିଶେଷ କରି କଦଳୀ, ଆମ୍ବ ଗଛ ନଷ୍ଟ ହୋଇଯାଇଛି। ଏହା ଚାଷୀଙ୍କ ପାଇଁ ଦୁଃଖ ଆଣିଛି।

ଅନ୍ୟପଟେ ଦୀର୍ଘଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହରେ ଅଞ୍ଚଳବାସୀ ସନ୍ତୁଳି ହେଉଥିବାବେଳେ କାଳବୈଶାଖୀ ବର୍ଷା ପରିବେଶରେ ଭରିଛି ଶୀତଳତା। ତାପମାତ୍ରା ମଧ୍ୟ ସାମାନ୍ୟ ହ୍ରାସ ପାଇଛି। ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବାକୁ ଦାବି ହେଉଛି।