ପନିର୍‌ ଡ୍ରାଗନ୍‌

ସମ୍ପ୍ରତି ସମ୍ବଲପୁର ସହରରେ ନୂଆ ରେସ୍ତୋରାଁ ଖୋଲିବାରେ ଲାଗିଛି। ଯୁବପିଢ଼ିକୁ ଆକୃଷ୍ଟ କଲାଭଳି ଖାଦ୍ୟ ମଧ୍ୟ ପ୍ରସ୍ତୁତ ହେଉଛି। ସହରର ବହୁ ପୁରୁଣା ରେସ୍ତୋରଁ।ଗୁଡିକ ମଧ୍ୟ ଖାଦ୍ୟରୁଚିରେ ପରିବର୍ତ୍ତନ କରୁଛନ୍ତି। ଏହି କ୍ରମରେ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ ପୁରୁଣା ହୋଟେଲ ତ୍ରିବେଣୀର ଇ-ସ୍କ୍ୟୁର୍‌ ରେସ୍ତୋରାଁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ କରୁଛି ସ୍ବତନ୍ତ୍ର ଡିଶ୍‌ ପନିର ଡ୍ରାଗନ୍‌। ଗୋଟିଏ ପ୍ଲେଟର ମୂଲ୍ୟ ରହିଛି ୧୫୦ ଟଙ୍କା। ମେନ୍‌ କୋର୍ସରେ ୨ଜଣ ଏହାକୁ ଖାଇ ପାରିବେ ବୋଲି କୁହନ୍ତି ସହକାରୀ ସେଫ୍‌ ଅଶୋକ ଦେହୁରୀ ।

ଆବଶ୍ୟକ ସାମଗ୍ରୀ:

ପନିର- ୧୦୦ ଗ୍ରାମ
କ୍ୟାପ୍‌ସିକମ- ୨୫ ଗ୍ରାମ
ପିଆଜ- ୨୫ ଗ୍ରାମ
ପିଆଜ ଷଣ୍ଢା- ୩୦ ଗ୍ରାମ
ଶୁଖିଲା ଲଙ୍କା- ୨୦ ଗ୍ରାମ
ରସୁଣ- ୨୫ ଗ୍ରାମ
କାଜୁ- ୩୦ ଗ୍ରାମ
କନ୍‌ ଫ୍ଲାୱାର- ୨୫ ଗ୍ରାମ
ମଇଦା- ୨୫ ଗ୍ରାମ
ଲୁଣ ଓ ଚାଇନିଜ ଲୁଣ- ସ୍ବାଦ ଅନୁସାରେ
ଗୋଲ ମରିଚ- ୧୦ ଗ୍ରାମ
ତେଲ- ୫୦ ଗ୍ରାମ
ଟମାଟେ। ସସ୍‌- ୧୦ ଗ୍ରାମ
ଚିଲି ସସ୍‌- ୧୦ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ:

ପନିରକୁ ଫିଙ୍ଗର ସାଇଜରେ କଟାଯାଇ ସ୍ବଚ୍ଛ ପାତ୍ରରେ ରଖାଯାଏ। ଏଥିସହ ପିଆଜ, କ୍ୟାପ୍‌ସିକମ୍‌କୁ ମଧ୍ୟ ଲମ୍ବା ଓ ଚଉଡା ଭାବେ କଟାଯାଏ। ରସୁଣକୁ ମଧ୍ୟ କିମା କରି ପ୍ଲେଟରେ ରଖାଯାଏ। ଏହାପରେ ପନିର, କନଫ୍ଲାୱାର, ମଇଦା, ଲୁଣ, ରେଡ୍‌ଚିଲି ସସ୍‌କୁ ମେରିନେଟ କରାଯାଏ। ତେଲ କଡ଼େଇ ଗରମ ହେବାପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପନିର ପକାଯାଇଥାଏ। ପନିର କ୍ରିସ୍‌ପି ହେବାପରେ କଡ଼େଇରୁ ଆଣି ପ୍ଲେଟ୍‌ରେ ରଖାଯାଇଥାଏ। ଏହାପରେ ଫ୍ଲାଇପେନ୍‌ରେ ୨ ଟେବୁଲ ଚାମଚ ତେଲ ଗରମ କରାଯାଏ। ତେଲ ଗରମ ହେବାପରେ ପୂର୍ବରୁ କଟାହୋଇଥିବା ପିଆଜ, କ୍ୟାପ୍‌ସିକମ୍‌, କାଜୁ, ରସୁଣ କିମା, ଶୁଖିଲା ଲଙ୍କା ପକାଯାଇ ବ୍ରାଉନ୍‌ ରଙ୍ଗ ହେବା ପର୍ଯ୍ୟନ୍ତ ଭଜାଯାଇଥାଏ। ଏହାପରେ ଟମାଟୋ ସସ୍‌, ରେଡ୍‌ ଚିଲି ସସ୍‌, ଚାଇନିଜ ଲୁଣ ସହ ଅଳ୍ପ ପାଣି ଦିଆଯାଇଥାଏ। ମସଲା ପ୍ରସ୍ତୁତ ହେବାପରେ ପନିର, ପିଆଜ ଷଣ୍ଢା ଓ ଗୋଲମରିଚ ଗୁଣ୍ଡ ପକାଯାଇଥାଏ। ଏହାପରେ ୫ ମିନିଟ ସମୟ ଗଲାପରେ ପନିର ଡ୍ରାଗନ ପ୍ରସ୍ତୁତ ହୋଇଥାଏ। ପନିର ଡ୍ରାଗନ ଡାଇସିଂ କରାଯାଇ ଗ୍ରାହକମାନଙ୍କୁ ପରଷା ଯାଇଥାଏ।