ପଦ୍ମପୁରରେ ବ୍ୟାପୁଛି ଝାଡାବାନ୍ତି: ୨ ଦିନରେ ୩୦ ଆକ୍ରାନ୍ତ

ପଦ୍ମପୁର, ୧୨।୯(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ମାରିଗୁଡ଼ା ଓ ବହୁପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଗତ ଦୁଇ ଦିନ ମଧ୍ୟରେ ଉଭୟ ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ରୋଗୀ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଦୁଇଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଗୁଣପୁର ମେଡିକାଲକୁ ପଠାଯାଇଛି। ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଦୁଇଟି ଗାଁକୁ ଯାଇ ଜଳ ଓ ମଳ ନମୁନା ସଂଗ୍ରହ କରିଛି।
ପ୍ରକାଶ ଯେ, କିଛିଦିନ ହେବ ପଦ୍ମପୁର ଜିଲାରେ ଲଗାଣ ବର୍ଷା ଲାଗି ରହିଛି। ଏହା ଫଳରେ ଗାଁରେ ଝାଡାବାନ୍ତି ବ୍ୟାପୁଛି। ଏଥିରେ ଉଭୟ ଗାଁର ୩୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କୁ ପଦ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ହେମା ଧୋବା ଓ ରାମ ଶବରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଗୁଣପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁବାର ମେଡିକାଲ ଟିମ୍‌ ବହୁପଦର ଓ ମାରିଗୁଡ଼ା ଗାଁକୁ ଯାଇ ଜଳ ଓ ରୋଗୀଙ୍କ ମଳ ନମୂନା ସଂଗ୍ରହ କରି ଲ୍ୟାବକୁ ପଠାଇଛନ୍ତି। ମେଡିକାଲ ଟିମ୍‌ ପକ୍ଷରୁ ଉଭୟ ଗ୍ରାମରେ ଓଆର୍‌ଏସ୍‌, ଜିଙ୍କ୍‌ ପାଉଡର ସହ ଔଷଧ ବିତରଣ କରାଯାଇଛି। ଏଥିସହ ଉଭୟ ଗାଁର ସମସ୍ତ କୂଅ ଓ ପୋଖରୀରେ ବ୍ଲିଚିଂ ପାଉଡ଼ର ପକାଯାଇଛି। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ସୌମ୍ୟ ରଞ୍ଜନ ପତି, ବିପିଓ ମନୋଜ ପଣ୍ଡା, ସଫରା ରାଇକା, ଏଲ୍‌ଏଚ୍‌ଭି ତିଳୋତ୍ତମା ପ୍ରମୁଖ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଡାଇରିଆ ସମ୍ପର୍କରେ ସଚେତନ କରାଇଛନ୍ତି। ତେବେ ପାଗ ଖରାପ ଥିବାରୁ ରାତି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ ଯେ, ଗତ ମାସ ୮ ତାରିଖରେ ମଧ୍ୟ ପଦ୍ମପୁର ଅଞ୍ଚଳରେ ଏଭଳି ଡାଇରିଆ ବ୍ୟାପିଥିଲା।

ଫଟୋ-