ପଥର ବ୍ଲାଷ୍ଟିଂକୁ ନେଇ ତେଜିଲା ଅସନ୍ତୋଷ

କାମାକ୍ଷାନଗର, ୨୧।୧(ଡି.ଏନ.ଏ.)

ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଝିଲ୍ଲୀ ଗ୍ରାମରେ ପଥର ବ୍ଲାଷ୍ଟିଂକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିବାଦରେ ଗତ ରବିବାର ଅଞ୍ଚଳର ଶତାଧିକ ମହିଳା କ୍ରଶର ଆଗରେ ଧାରଣାରେ ବସିଥିଲେ। ସମସ୍ୟା ସମାଧାନ ଦାବିରେ ସୋମବାର ଗ୍ରାମବାସୀ ଏକାଠି ହୋଇ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୁନର୍ବାର ଧାରଣା ଦେଇଥିଲେ।
ଅଭିଯୋଗ ଅନୁଯାୟୀ, ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ଦାୟିତ୍ୱରେ ଥିବା ଠିକାସଂସ୍ଥା କୁନାଲ ଷ୍ଟ୍ରକ୍ଚର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ଉକ୍ତ କ୍ରଶରରୁ ପଥର ବ୍ଲାଷ୍ଟିଂ କରୁଛି। ଫଳରେ ଘରଦ୍ୱାର ଫାଟି କ୍ଷତିଗ୍ରସ୍ତ ହୋଇଛି। ଏ ନେଇ ଲୋକମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାର ସମାଧାନ ନ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଆନ୍ଦୋଳନରତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ତହସିଲଦାରଙ୍କୁ ପଠାଇ କ୍ଷୟକ୍ଷତି ଆକଳନ କରାଯିବ। କ୍ଷତିଗ୍ରସ୍ତ ଘରଗୁଡ଼ିକର ମରାମତି ବ୍ୟବସ୍ଥା କରାଯିବ। ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପରୀକ୍ଷାମୂଳକ ଭାବେ ବ୍ଲାଷ୍ଟିଂ କରାଯିବ। ଏଥିରୁ ପ୍ରକୃତରେ କ’ଣ କ୍ଷତି ହେଉଛି ତାହା ଜଣାପଡ଼ିବ। ଲୋକଙ୍କ ସହମତିରେ ସମସ୍ତ କାର୍ଯ୍ୟ ହେବ ବୋଲି ଉପଜିଲାପାଳ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଜିଲା ପରିଷଦ ସଭ୍ୟା ସୁକାନ୍ତି ପ୍ରଧାନ, କମଳା ପ୍ରଧାନ, ଶାନ୍ତି ପ୍ରଧାନ, ବିଜୁଳି ବେହେରା, ଉର୍ବଶୀ ବେହେରା, ଶୈଳ ପ୍ରଧାନ, ବାସନ୍ତୀ ସାହୁ, କାଞ୍ଚନ ବେହେରା, ସିପ୍ରା ସାହୁ, ସସ୍ମିତା ପ୍ରଧାନ, ଝିଲି ପ୍ରଧାନ, ପିଙ୍କି ପ୍ରଧାନ, କୃଷ୍ଣଚନ୍ଦ୍ର ସାହୁ, ପ୍ରଫୁଲ୍ଲ ଦେହୁରୀ, ପ୍ରେମାନନ୍ଦ ପ୍ରଧାନ, ସନ୍ତୋଷ ସାହୁ, ଦିବାକର ବେହେରା, ବସନ୍ତ ସାହୁ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।