Categories: ଜାତୀୟ

ପଶୁଙ୍କ ଉପରେ ଅତ୍ୟାଚାର କରିବାରୁ ଥାନାରେ ଏତଲା ଦେଲେ ମାଲିକ

ପାଟନା,୩୦।୬: ଅସାମାଜିକ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ଥିବା ବିହାର ଏଥର କିନ୍ତୁ ଭିନ୍ନ ଏକ ଆପରାଧିକ ମାମଲା ପାଇଁ ଆସିଛି ଚର୍ଚ୍ଚାକୁ। ହେରୁଦିୟାରାରେ ରହୁଥିବା ଜୟରାମ କୁମାର ଯାଦବଙ୍କ ଛେଳି ଚରୁଥିବା ସମୟରେ ତାଙ୍କ ପଡୋଶୀ ପ୍ରଭାତ ଯାଦବ ଛେଳିର ଗୋଡକୁ ବାଡେଇ ଛୋଟା କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଜୟରାମ ଓ ତାଙ୍କ ମା’ ଥାନାରେ ପ୍ରଭାତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଜୟରାମଙ୍କ କହିବା କଥା ହେଲା ପ୍ରଭାତ ବାରମ୍ବାର ପଶୁଙ୍କ ଉପରେ ଏଭଳି ଅତ୍ୟାଚାର କରି ଆସୁଛନ୍ତି। ଗତବର୍ଷ ମଧ୍ୟ ସେ ଏକ ଘୋଡ଼ାର ଗୋଡ଼ ଭାଙ୍ଗି ଦେଇଥିବା ଜୟରାମ କହିଛନ୍ତି। ଏହା ବ୍ୟତୀତ ତାଙ୍କ ଘର ନିକଟରେ ଥିବା ସରକାରୀ ସ୍ଥାନକୁ ପ୍ରଭାତ ଅକ୍ତିୟାର କରିବାକୁ ଚାହୁଁଥିବା ବେଳେ ଜୟରାମ ତାହାର ବିରୋଧ କରିବାରୁ ସେ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଛନ୍ତି। ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share