Categories: ଖେଳ

ପଡ଼ିଆରେ ବେହୋସ୍‌ ହେଲେ ଫ୍ରିଡ଼ା ମାନମ୍‌

ଓଲଭରହାମ୍ପଟନ୍‌,୨ା୪(ପି.ଟି.): ଇଂଲିଶ ଲିଗ୍‌ କପ୍‌ ଫାଇନାଲ ମ୍ୟାଚ୍‌ରେ ଆର୍ସେନଲ ମହିଳା ଦଳର ମିଡ୍‌ ଫିଲ୍ଡର ଫ୍ରିଡା ମାନମ୍‌ ବେହୋସ ହୋଇଯାଇଥିଲେ। ମୋଲିନକ୍ସ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌କୁ ଆର୍ସେନଲ ୧-୦ରେ ବିଜୟୀ ହୋଇଥିବା ବେଳେ ଫ୍ରିଡା ମ୍ୟାଚ୍‌ ସମୟରେ ପଡିଆରେ ବେହୋସ୍‌ ହୋଇ ଯାଇଥିଲେ। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ଗୋଲଶୂନ୍ୟ ରହିଥିଲା। ୫ ମିନିଟର ଇଞ୍ଜୁରୀ ଟାଇମ୍‌ ପରେ ମଧ୍ୟ ମ୍ୟାଚ୍‌ ଗୋଲଶୂନ୍ୟ ରହିଥିଲା। ତେବେ ହଠାତ୍‌ ଫ୍ରିଡା ବେହୋସ ହେବା ପରେ ତାଙ୍କୁ ପଡିଆ ମଧ୍ୟରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା। ନରଓ୍ବେ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ଫ୍ରିଡା ଚେତା ହରାଇ ପଡି ଯାଇଥିବା ବେଳେ ଆର୍ସେନଲର କେଟି ମ୍ୟାକବେ ଓ ଚେଲ୍‌ସିର ନିଆମ୍‌ ଚାଲର୍‌ସ ତାଙ୍କ ନିକଟରେ ପହଞ୍ଚିଥିଲେ। ଅତିରିକ୍ତ ସମୟରେ ମାନମଙ୍କ ସ୍ଥାନରେ ଆଲେସିଆ ରୁସୋ ବଦଳ ଖେଳାଳି ଭାବରେ ଆସିଥିଲେ। ୭ ମିନିଟ ଧରି ମ୍ୟାଚ୍‌ ବନ୍ଦ ରହିବା ପରେ ପୁନର୍ବାର ଆରମ୍ଭ କରାଯାଇଥିଲା। ୧୧୬ତମ ମିନିଟରେ ଷ୍ଟିନା ବ୍ଲାକଷ୍ଟେନିୟସଙ୍କ ଏକମାତ୍ର ଗୋଲ ବଳରେ ଏହି ମ୍ୟାଚକୁ ଜିତି ନେଇଥିଲା ଆର୍ସେନଲ। ବର୍ତ୍ତମାନ ଫ୍ରିଡା ସୁସ୍ଥ ରହିଥିବା ଆର୍ସେନଲ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି।

Share