ପଠନ ଅଭ୍ୟାସ ମଣିଷକୁ ସାକାରାତ୍ମକ କରେ

ସୋନପୁର,୨୪।୧(ନି.ପ୍ର.)
ସୋନପୁର ରୟାଲ ପଡିଆଠାରେ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଚତୁର୍ଥ ସୁବର୍ଣ୍ଣପୁର ଜିଲା ପୁସ୍ତକ ଓ ସାହିତ୍ୟ ଉତ୍ସବ ଇଙ୍କ୍‌ଫେଷ୍ଟ-୨୦୨୦ ଗୁରୁବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ସନ୍ଧ୍ୟାରେ ଅନୁଷ୍ଠିତ ସାରସ୍ବତ ସଭାରେ ଜିଲାପାଳ ମୋନିଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ଡିଜିଟାଲ ଯୁଗରେ ମଧ୍ୟ ପୁସ୍ତକର ଗୁରୁତ୍ୱ ରହିଛି। ତେଣୁ ପୁସ୍ତକକୁ ଭଲ ପାଇବା ସହ ଛାତ୍ରୀଛାତ୍ରଙ୍କ ନିକଟରେ ପଠନ ଅଭ୍ୟାସ ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ପୁସ୍ତକ ପଠନ ମଣିଷକୁ ସାକାରାତ୍ମକ କରେ। ବୌଦ୍ଧିକ ଜ୍ଞାନର ବିକାଶ ଘଟେ। ସମ୍ମାନିତ ଅତିଥି ଭାବେ ଏସ୍‌ପି ଦେବୀପ୍ରସାଦ ଦାଶ ଯୋଗଦାନ କରି ଅଭିଭାବକମାନେ ପିଲାମାନଙ୍କର ପୁସ୍ତକ ପଢିବାର ଆଗ୍ରହ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। କାରଣ ପୁସ୍ତକ ସହିତ ଘନିଷ୍ଠତା ବଢାଇଲେ ଚରିତ୍ର ଗଠନ ସହିତ ପିଲା ସଂସ୍କାରିତ ହୋଇଥାଏ । ଅନ୍ୟତମ ସମ୍ମାନିତ ଅତିଥିଭାବେ ବୌଦ୍ଧ ପିଡି ଡିଆରଡିଏ ସୂର୍ଯ୍ୟନାରାୟଣ ଦାଶ କହିଥିଲେ ପୁସ୍ତକ ପଠନ ପୂର୍ବକ ଜ୍ଞାନ ଆହରଣ ମଣିଷକୁ ଦାର୍ଶନିକ ଭଳି ଗଢି ତୋଳିଥାଏ। ପାଠକ ଲେଖକ ଓ ଗାଳ୍ପିକଙ୍କ ପାଇଁ ଉତ୍ସାହର କେନ୍ଦ୍ରବିନ୍ଦୁ ବୋଲି କହିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଦ୍ୱାରିକାନାଥ ନାୟକ ଓ ଡ. ପଞ୍ଚାନନ ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ସାହିତ୍ୟ ଆମ ଦେଶ ଓ ଜାତିର ପରିଚୟ ସଦୃଶ । ପୁସ୍ତକ ପଢାରେ ଯେଉଁ ଆନନ୍ଦ ମିଳେ ଫେସବୁକ୍‌ ପଢାରେ ସେ ଆନନ୍ଦ ନାହିଁ ବୋଲି ମତ ଦେଇଥିଲେ । ସାହିତ୍ୟ, ସ୍ରଷ୍ଟା ଓ ପାଠକର ସ୍ବରୂପ ନିର୍ଦ୍ଧାରଣ କରି ସ୍ରଷ୍ଟା ଓ ପାଠକର ସମ୍ପର୍କକୁ ଗୁରୁତ୍ୱ ଦେବାକୁ କହିଥିଲେ । ପୁସ୍ତକ ଆଗାମୀ ଭବିଷ୍ୟତକୁ ଦିଗ୍‌ଦର୍ଶନ ଦେଇଥାଏ । ଏହି ଅବସରରେ ଡ. ନାୟକ ଓ ଡ. ମିଶ୍ର କବି ଓ ଦାର୍ଶନିକ ମାନଙ୍କର ଉଦାହରଣ ଦେଇଥିଲେ । ଇଙ୍କ୍‌ପେଷ୍ଟର ଉଦ୍‌ଯାପନୀ ସଭାରେ ଉପସଭାପତି ଗତିକୃଷ୍ଣ ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ।