ପଞ୍ଜାବ ସରକାରଙ୍କ ଚିନ୍ତା ବଢ଼ାଇଲେ ୯୦ହଜାର ବିଦେଶ ଫେରନ୍ତା

ଚଣ୍ଡିଗଡ଼,୨୪।୩: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ ସାରା ଦେଶ ବିଭିନ୍ନ ଉପାୟରେ ଉଦ୍ୟମ ଚଳାଇଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ସମସ୍ତ ରାଜ୍ୟଗୁଡ଼ିକରେ ଲକ୍‌ଡାଉନ୍‌ ବ୍ୟବସ୍ଥା କରାଯାଇଛି। ପୂର୍ବରୁ କରୋନା ଯୋଗୁ ପଞ୍ଜାବରେ ୨୨ଟି ଜିଲାରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଏବେ ତା’ସମ୍ମୁଖରେ ନୂଆ ସଙ୍କଟ ଦେଖାଦେଇଛି। କରୋନା ଭାଇରସ୍‌ ବ୍ୟାପିବା କଥା ଜଣାପଡ଼ିବା ପରେ ବିଭିନ୍ନ ଦେଶରେ ଥିବା ୯୦ହଜାର ନାଗରିକ ଏବେ ନିଜ ରାଜ୍ୟକୁ ଫେରିଆସିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟସରକାର ସେମାନଙ୍କର ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ସରକାରରେ ଥିବା ମନ୍ତ୍ରୀ ବଲବିର ସିଂହ ସନ୍ଧୁ କେନ୍ଦ୍ରକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ କେନ୍ଦ୍ରକୁ ୧୫୦କୋଟି ଟଙ୍କାର ସହାୟତା ଲୋଡିଛନ୍ତି। କାରଣ ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରେ କେତେକ ସଂକ୍ରମିତ ହୋଇପାରନ୍ତି। ଯଦି ଏଭଳି ହୁଏ ତେବେ ପଞ୍ଜାବରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଉଛି। ତେଣୁ ଆଗୁଆ ପଦକ୍ଷେପ ଗ୍ରହଣ କରି ରାଜ୍ୟସରକାର ସେମାନଙ୍କର ଯାଞ୍ଚ କରିବାକୁ ଚାହୁଁଛନ୍ତି। ସେମାନଙ୍କର ଯାଞ୍ଚ, ସ୍ବଚ୍ଛତା, ଚିକିତ୍ସା ପାଇଁ ଏହି ଅର୍ଥ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।

Share