Categories: ଖେଳ

ପଞ୍ଜାବରେ ଯୁବିଙ୍କ ମୂର୍ତ୍ତି ଉନ୍ମୋଚିତ

  • ଚଣ୍ଡିଗଡ଼,୪ା୧- ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଆଇସିସି ବିଶ୍ବକପ୍‌ରେ ଚାମ୍ପିୟନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଯୁବରାଜ ସିଂ (ଯୁବି)ଙ୍କ ଏକ ମୂର୍ତ୍ତି ସ୍ଥାପନ କରାଯାଇଛି। ଫିରୋଜପୁର ଜିଲା କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡ ବାହାରେ ଥିବା ଏହି ମୂର୍ତ୍ତିକୁ ସ୍ଥାନୀୟ ରାଜନେତା ନୂଆବର୍ଷ ଦିନ ଉନ୍ମୋଚନ କରିଛନ୍ତି। ନିକଟ ଅତୀତରେ ବିରାଟ କୋହଲି, ଗୌତମ ଗମ୍ଭୀର ଓ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଖେଳାଳିଙ୍କ ନାମରେ ଷ୍ଟାଡିୟମର ଷ୍ଟାଣ୍ଡ ନାମିତ ହେବାର ଦୃଷ୍ଟାନ୍ତ ରହିଛି। ହେଲେ ଖୁବ କମ୍‌ କ୍ରିକେଟରଙ୍କ ମୂର୍ତ୍ତି ସ୍ଥାପନ ହୋଇଛି। ୨୦୧୩ରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ବିହାରରେ ନିଜ ମୂର୍ତ୍ତି ଉନ୍ମୋଚନ କରିଥିଲେ। ତାଙ୍କ ପରେ ଯୁବିଙ୍କ ପ୍ରଥମ କ୍ରିକେଟର ଭାବେ ମୂର୍ତ୍ତି ସ୍ଥାପନ ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ପୂର୍ବତନ ଅଲରାଉଣ୍ଡର ୩୦୪ ଦିନିକିଆ ଖେଳି ୩୬.୫୫ ହାରରେ ୧୪ ଶତକ ସହ ୮,୭୦୧ ରନ୍‌ କରିଥିଲେ। ତା’ ସହ ୧୨୦ ଉଇକେଟ ମଧ୍ୟ ନେଇଛନ୍ତି। ୪୦ ଟେଷ୍ଟ ଖେଳି ୧,୯୦୦ ରନ୍‌ କରିଛନ୍ତି। ୫୮ ଟି୨୦ ମ୍ୟାଚ୍‌ ଖେଳିଥିବା ଯୁବିଙ୍କ ନାମରେ ୧,୧୭୭ ରନ୍‌ ରହିଛି। ଅର୍ଜୁନ ପୁରସ୍କାରପ୍ରାପ୍ତ ଯୁବି କର୍କଟ ରୋଗରୁ ମୁକ୍ତ ହୋଇ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲେ। ଆଉ ଆଇପିଏଲ୍‌ରେ ୧୪  କୋଟି ଟଙ୍କାରେ ବିକ୍ରି ହୋଇଥିଲା, ଏହା ଏପର୍ଯ୍ୟନ୍ତ ଭାରତୀୟ ଖେଳାଳିଙ୍କ ମଧ୍ୟରେ ରେକର୍ଡ ହୋଇରହିଛି।
Share