Categories: ଖେଳ

ପଞ୍ଜାବରେ କବାଡ଼ି ବିଶ୍ୱକପ୍‌

ଚଣ୍ଡିଗଡ଼, ୧୩।୧୧ (ପି.ଟି.):୨୦୧୯ କବାଡ଼ି ବିଶ୍ୱକପ୍‌ ପଞ୍ଜାବରେ ଅନୁଷ୍ଠିତ ହେବ। ଡିସେମ୍ବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ। ସେହିଭଳି ଶିଖ୍‌ ଗୁରୁ ‘ଗୁରୁ ନାନକ ଦେବ ଜୀ’ଙ୍କ ୫୫୦ତମ ଜନ୍ମବାର୍ଷିକ ଏହି ବର୍ଷ ପାଳନ କରାଯାଉଥିବାରୁ ବିଶ୍ୱକପ୍‌କୁ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ବୋଲି ପଞ୍ଜାବ କ୍ରୀଡ଼ାମନ୍ତ୍ରୀ ରାଣା ଗୁର୍‌ମିତ୍‌ ସିଂ ସୋଧୀ ବୁଧବାର କହିଛନ୍ତି। ଏହି ବିଶ୍ୱକପ୍‌ରେ ଆୟୋଜକ ଭାରତ ସମେତ ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା, କେନିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ କାନାଡା ଅଂଶଗ୍ରହଣ କରିବେ। ‘କେବଳ ପାକିସ୍ତାନ ଓ କାନାଡାକୁ ଛାଡ଼ି ବାକି ସମସ୍ତ ଦେଶକୁ ଭାରତ ସରକାରଙ୍କ ପକ୍ଷରୁ ଭିଜା ପ୍ରଦାନ କରାଯାଇସାରିଛି। ଏହି ଦୁଇଟି ଦେଶକୁ ଅପେକ୍ଷା କରିବାକୁ ପଡ଼ିବ’ ବୋଲି ସୋଧୀ ଏହି ଅବସରରେ ପ୍ରକାଶ କରିଛନ୍ତି। ଡିସେମ୍ବର ୧ରେ ସୁଲତାନପୁର ଲୋଧୀସ୍ଥିତ ଗୁରୁ ନାନକ ଷ୍ଟାଡିୟମରେ ଟୁର୍ନାମେଣ୍ଟ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ସେହିଦିନ ୪ଟି ମ୍ୟାଚ୍‌ ମଧ୍ୟ ସେଠାରେ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ଗୁରୁଦାସପୁର ଜିଲା ଡେରା ବାବା ନାନକ ସହରଠାରେ ଥିବା ଶହୀଦ ଭଗତ୍‌ ସିଂ ସ୍ପୋଟର୍‌ସ ଷ୍ଟାଡିୟମରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଏହାବାଦ ଭତିଣ୍ଡାସ୍ଥିତ ସ୍ପୋଟର୍‌ସ ଷ୍ଟାଡିୟମ ଓ ପଟିଆଲାସ୍ଥିତ ଓ୍ବାଇପିଏସ୍‌ ସ୍ପୋଟର୍‌ସ ଷ୍ଟାଡିୟମରେ ମଧ୍ୟ କିଛି ମ୍ୟାଚ୍‌ ଖେଳାଯିବ। ଶ୍ରୀ ଆନନ୍ଦପୁର ସାହିବସ୍ଥିତ ଚରଣଗଙ୍ଗା ସ୍ପୋଟର୍‌ସ ଷ୍ଟାଡିୟମରେ ସେମିଫାଇନାଲ ମ୍ୟାଚ୍‌ ଦୁଇଟିଯାକ ଅନୁଷ୍ଠିତ ହେବ।

Share