ପଞ୍ଚାୟତ ଆର୍ଥିକ ଦେଣନେଣ ପାଇଁ ବିଡିଓଙ୍କ ପ୍ରତିସ୍ବାକ୍ଷରକୁ ସରପଞ୍ଚ ସଂଘର ବିରୋଧ

ସୋନପୁର, ୮।୩(ନି.ପ୍ର.)
ସୁବର୍ଣ୍ଣପୁର ଜିଲା ସରପଞ୍ଚ ସଂଘର ଏକ ବୈଠକ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସରପଞ୍ଚ ସଂଘ ସଭାପତି ପ୍ରକାଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପତ୍ର ସଂଖ୍ୟା ୪୩୧୪/ତା୧୭।୨।୨୦୨୦ରିଖ ସମ୍ପର୍କରେ ଆଲୋଚନା ହୋଇଥିଲା। ପଞ୍ଚାୟତର ସମସ୍ତ ବିକାଶମୂଳକ କାର୍ଯ୍ୟରେ ସ୍ଥାନୀୟ ବିଡିଓଙ୍କ ପ୍ରତିସ୍ବାକ୍ଷର ବିନା ପଞ୍ଚାୟତ ଏକାଉଣ୍ଟରୁ ଆର୍ଥତ୍କ ନେଣଦେଣ ହୋଇପାରିବ ନାହିଁ ବୋଲି ଦିଆଯାଇଥିବା ସରକାରଙ୍କ ନିର୍ଦ୍ଦେଶକୁ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । କେନ୍ଦ୍ରୀୟ ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ ଅନୁଦାନକୁ ପଲ୍ଳୀସଭା ଓ ଗ୍ରାମ ସଭା ମାଧ୍ୟମରେ ପାରିତ କରାଯିବା ପରିବର୍ତ୍ତେ ବିଭାଗ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର କାର୍ଯ୍ୟାନ୍ବୟନ କରିବାକୁ ହେଉଥିବା ନିର୍ଦ୍ଦେଶକୁ ସଂଘ ବିରୋଧ କରିଛି। ତେଣୁ ଏହି ଉଭୟ ନିର୍ଦ୍ଦେଶନାମା ପତ୍ର ସମ୍ପର୍କରେ ସରକାର କୋହଳ ମନୋଭାବ ପ୍ରଦର୍ଶନ କରନ୍ତୁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ଗ୍ରାମପଞ୍ଚାୟତମାନଙ୍କୁ ପୁର୍ଣ୍ଣ କ୍ଷମତା ପ୍ରଦାନ ନ କଲେ ଆଗାମୀ ଦିନରେ ସଂଘ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରିବା ସହ ଆଇନର ଆଶ୍ରୟ ନେବ ବୋଲି ଚେତାବନୀ ଦେଇଛି। ଏହି ବୈଠକରେ ଉପସଭାପତି ରଞ୍ଜିତା ଭୋଇ, ସମ୍ପାଦକ ଅରବିନ୍ଦ ବାରିକ, କୋଷାଧ୍ୟକ୍ଷ ପ୍ରଭାତ ପାତ୍ର, ବୀରମହାରାଜପୁର ବ୍ଲକ ସରପଞ୍ଚ ସଂଘ ସଭାପତି ସରୋଜ ବାରିକ, ଉଲୁଣ୍ଡା ବ୍ଲକ ସଭାପତି ଦୁର୍ଯ୍ୟୋଧନ ପର୍ଡିଆ ଓ ବିନିକା ବ୍ଲକ ସଭାପତି ଲକ୍ଷ୍ମଣ ସାହୁଙ୍କ ସହ ମଧୁସୂଦନ ଓତା ପ୍ରମୁଖ ଉପସ୍ଥିତ ଥିଲେ ।