ପଞ୍ଚମ ଥର ଲାଗି ବିଜେଡି କବ୍ଜାରେ କାକଟପୁର: କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣଙ୍କୁ ହରାଇ ତୁଷାରକାନ୍ତି ହେଲେ ବିଧାୟକ

କାକଟପୁର,୨୪।୫(ଡି.ଏନ୍‌.ଏ.): ନାନା କଳ୍ପନା ଜଳ୍ପନା ସତ୍ତ୍ୱେ କାକଟପୁରରେ ପୁଣି ଥରେ ବାଜିମାତ୍‌ କରିଛି ବିଜେଡି। ଲଗାତାର ୫ମଥର ଲାଗି କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ କବ୍ଜାକୁ ନେଇଛି ଦଳ। ଭାଜପା ଦଳ ଓ ପ୍ରାର୍ଥୀତ୍ୱକୁ ପରିତ୍ୟାଗ କରି ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଯୁବ ଇଞ୍ଜିନିୟର ତୁଷାରକାନ୍ତି ବେହେରା ବିଜୟୀ ହୋଇ କାକଟପୁର ବିଧାୟକ ହୋଇଛନ୍ତି। ତୁଷାର ୯୧ ହଜାର ୭୬୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ ୪୬ ହଜାର ୧୫୬ଖଣ୍ଡ, ଭାଜପା ପ୍ରାର୍ଥୀ ରବି ମଲ୍ଲିକ ୩୦ ହଜାର ୬୬୮ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି।

୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସେଠୀ ୪୧ହଜାର ୩୦ଖଣ୍ଡ ଅଧିକ ଭୋଟରେ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର ସେଠୀଙ୍କୁ ପରାଜିତ କରିଥିବା ବେଳେ ଚଳିତ ନିର୍ବାଚନରେ ତୁଷାରକାନ୍ତି ୪୫ହଜାର ୬୦୭ ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି। ସେ ବିଜୟୀ ହେବା ଘୋଷଣା ହେବା ପରେ କାକଟପୁର, ଅସ୍ତରଙ୍ଗ, ଗୋପ, କୋଣାର୍କ, ବାଲିଦୋକାନ, ନୟାହାଟ ପ୍ରଭୃତି ସ୍ଥାନରେ ଦଳୀୟ କର୍ମୀମାନେ ଆତସବାଜି ଫୁଟାଇ ମିଠାବାଣ୍ଟି ଖୁସି ମନାଇଛନ୍ତି। ବିଜୟୀ ହେବା ପରେ କାକଟପୁର ନିର୍ବାଚନମଣ୍ଡଳୀର ଭୋଟରମାନଙ୍କୁ ତୁଷାରକାନ୍ତି ଧନ୍ୟବାଦ ଜଣାଇବା ସହ ଲୋକମାନଙ୍କର ପ୍ରମୁଖ ସମସ୍ୟା ପାନୀୟ ଜଳ, ବିଜୁ ସେତୁ, ସ୍ଥାୟୀ ବସ୍‌ଷ୍ଟାଣ୍ଡ, ମଙ୍ଗଳା ମନ୍ଦିର ଓ ଜାହାନିଆଁଁ ପୀର ପୀଠର ଉନ୍ନତି ଆଦି ଦିଗକୁ ସେ ପ୍ରାଥମିକତା ଦେବେ ବୋଲି ‘ଧରିତ୍ରୀ’କୁ କହିଛନ୍ତି।