ପଞ୍ଚମଥର ବି ବଲିଉଡ୍‌ ଗାୟିକାଙ୍କ କରୋନା ସଂକ୍ରମିତ ରିପୋର୍ଟ ଆସିଲା ପିଜିଟିଭ

ଲକ୍ଷ୍ନୌ,୩୧।୩: ବଲିଉଡ୍‌ ସିଙ୍ଗର କନିକା କପୁର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଖବର ସମସ୍ତଙ୍କୁ ଜଣା। ତେବେ ପଞ୍ଚମଥର ବି ତାଙ୍କ ରିପୋର୍ଟ ପଜିଟିଭ ଆସିବା ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି। କନିକା ଏବେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂଚନା ଅନୁଯାୟୀ, ଏବେ କନିକାଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛି। ତେବେ କରୋନା ପଜିଟିଭ ରୋଗୀଙ୍କ ପ୍ରତି ୪୮ ଘଣ୍ଟାରେ ଥରେ ରିପୋର୍ଟ ଆସୁଥିବା ବେଳେ ଏହାଥିଲା କନିକାଙ୍କର ପଞ୍ଚମ ରିପୋର୍ଟ। ସୂଚନାଯୋଗ୍ୟ, କିଛିଦିନ ତଳେ କନିକା ସୋସିଆଲ ମିଡିଆ ମାଧ୍ୟମରେ ଲେଖିଥିଲେ ଆଶା କରୁଛି ଏଥର ମୋ ରିପୋର୍ଟ ନେଗେଟିଭ ଆସିବ। ହେଲେ ପୁଣିଥରେ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସେ ସାମାନ୍ୟ ଭାଙ୍ଗି ପଡିଥିବା କୁହାଯାଉଛି। ଏହା ପୂର୍ବରୁ ମଧ୍ୟ କନିକା ସୋସିଆଲ ମିଡିଆ ମାଧ୍ୟମରେ ପିଲାମାନଙ୍କୁ ବହୁତ ମନେପକାଇବା ସହ ସେମାନଙ୍କର ସୁସ୍ଥ ଜୀବନ କାମନା କରିଥିଲେ। ଏହାସହ ସେ ଆହୁରି ଏକ ଇମୋସନାଲ ପୋଷ୍ଟ ମଧ୍ୟ କରିଥିଲେ ଯେଉଁଥିରେ ଲେଖିଥିଲେ, ‘ଜୀବନ ଆମକୁ ସମୟର ସଦୁପଯୋଗ କରାଇବା ଶିଖାଇଥାଏ, ଆଉ ସମୟ ଆମକୁ ଜୀବନର ମୂଲ୍ୟ ବୁଝାଇ ଦେଇଥାଏ।’ ସୂଚନାଯୋଗ୍ୟ, ବିଦେଶରୁ ଫେରିଥିବା କନିକା କରୋନାରେ ସଂକ୍ରମିତ ହୋଇଥିବା ଜାଣି ନ ଥିବା ବେଳେ ସେ କେତେଗୁଡିଏ ପାର୍ଟିରେ ଯୋଗ ଦେବା ପରେ କରୋନା ପିଜିଟିଭ ବୋଲି ଚିହ୍ନଟ ହୋଇଥିଲେ। ଯାହାପରେ ଅନ୍ୟମାନେ ଚିନ୍ତାରେ ପଡିଯାଇଥିଲା।

Share