ପଞ୍ଚଭୂତରେ ଲୀନ ‘ହାକିମବାବୁ’

ଭୁବନେଶ୍ୱର(ବ୍ୟୁରୋ),୧୫।୯: କୋହଭରା ଶୋକାକୁଳ ପରିବେଶ ମଧ୍ୟରେ ଶେଷ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ଜଗତର ‘ହାକିମବାବୁ’ଙ୍କ ଅନ୍ତିମ ଯାତ୍ରା। ପଞ୍ଚଭୂତରେ ଲୀନ ହୋଇଛନ୍ତି ବରିଷ୍ଠ ଅଭିନେତା ଓ ନିର୍ଦ୍ଦେଶକ ଅଜିତ୍‌ ଦାସ। କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଶେଷନିଃଶ୍ୱାସ ତ୍ୟାଗ କରିଥିବା ଅଜିତଙ୍କର ସୋମବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ଝିଅ ରୁଚିସ୍ମିତା ଦାସ ମୁଖାଗ୍ନି ଦେଇଛନ୍ତି। ତେବେ ଏହା ପୂର୍ବରୁ ପ୍ରଥମେ ଏହି ବର୍ଷୀୟାନ ଅଭିନେତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। କୋଭିଡ୍‌ କଟକଣା ଓ ନିୟମ ଅନୁଯାୟୀ ପରିବାର ସଦସ୍ୟ, କଳାକାର ଓ ଅନ୍ୟମାନେ ପାର୍ଥିବ ଶରୀରଠାରୁ ଦୂରରେ ରହି ଶେଷ ଦର୍ଶନ କରିବା ସହ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ବିଦାୟ ଦେଇଥିଲେ।
କୋଭିଡ୍‌ ଭୟକୁ ଖାତିର ନ କରି ସାଧାରଣ ଲୋକଙ୍କ ସହ ବହୁ ସଂଖ୍ୟାରେ ସିନେ କଳାକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଓ ରାଜନେତା ଅଜିତଙ୍କୁ ଶେଷଥର ଲାଗି ବିଦାୟ ଦେବାକୁ ସତ୍ୟନଗର ଶ୍ମଶାନରେ ପହଞ୍ଚତ୍ ଅପେକ୍ଷା କରିଥିଲେ। ସେପଟେ ରାଜଧାନୀର ଘରୋଇ ହସ୍ପିଟାଲରୁ ଅଜିତ୍‌ଙ୍କ ମରଶରୀରକୁ ସିଧା ଶ୍ମଶାନକୁ ନିଆଯାଇଥିଲା। ତେବେ କୋଭିଡ୍‌ କଟକଣା ଯୋଗୁ ସୀମିତ ସଂଖ୍ୟକ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ମଧ୍ୟରେ ଶେଷକୃତ୍ୟ କରାଯାଇଥିଲା। ମରଶରୀର ନିକଟରେ ବନ୍ଧୁ ପରିଜନଙ୍କ ସହ ଧର୍ମପତ୍ନୀ ମାୟା ଦାସ, ୩ଝିଅ ଓ ଜ୍ୱାଇଁ ଉପସ୍ଥିତ ଥିଲେ।
‘ମୁଁ ବସିଥିବି ଏକୁଟିଆ… ସିଏ ମତେ ଆସି ନେଇଯିବ ଏକୁଟିଆ’ ଗୀତକୁ ବାପା ସବୁବେଳେ ଗାଉଥିଲେ। ସତରେ ଆଜି ସେ ଏକୁଟିଆ ଚାଲିଗଲେ। କାହାକୁ ବି ତାଙ୍କ ପାଖକୁ ଯିବାକୁ ଦେଲେନି। କୋହଭରା କଣ୍ଠରେ ଏଭଳି କହିଥିଲେ ଅଜିତଙ୍କ ଝିଅ। ଅନ୍ୟପକ୍ଷରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ବରିଷ୍ଠ ଓ ନବାଗତ କଳାକାରମାନେ ଅଜିିତ୍‌ଙ୍କ ଶେଷ ଦର୍ଶନ କରିବାକୁ ସତ୍ୟନଗର ଯାଇଥିଲେ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ମଧ୍ୟ ନିଜ ଗୁରୁଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ପହଞ୍ଚତ୍ଥିଲେ। ୬୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଜିତ ଦାସ ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟଗୁରୁ ଭାବେ ଲୋକପ୍ରିୟ ଥିଲେ। ସେହିଭଳି ମଞ୍ଚନାଟକ କ୍ଷେତ୍ରରେ ମଧ୍ୟ ସେ ଏକ ମାଇଲ୍‌ଷ୍ଟୋନ୍‌ ପ୍ରତିଷ୍ଠା କରିଥିଲେ। ତାଙ୍କ ବିୟୋଗରେ ଜନ୍ମମାଟି ମୟୂରଭଞ୍ଜରେ ମଧ୍ୟ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା।