ପଞ୍ଚଦଶତମ ପାତାଳି ମହୋତ୍ସବ ଉଦ୍‌ଯାପିତ

ଉଲୁଣ୍ଡା, ୨ା୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୋଟସମଲାଇସ୍ଥିତ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ପାତାଳି ଶ୍ରୀକ୍ଷେତ୍ରଠାରେ ଚାଲିଥିବା ପଞ୍ଚଦଶତମ ପାତାଳି ମହୋତ୍ସବ ଶନିବାର ପୂର୍ଣ୍ଣାହୂତି ସହ ସମ୍ପନ୍ନ ହୋଇଛି। ପ୍ରଥମେ କଳସ ଯାତ୍ରା କରାଯାଇ ସ୍ଥାପନ କଲାପରେ ୫୬ ପ୍ରହର ନାମଯଜ୍ଞ ଏବଂ ପଞ୍ଚକୁଣ୍ଡୀୟ ଘୃତଯଜ୍ଞ ଆରମ୍ଭ ହୋଇଥିଲା। ସାତଦିନ ବ୍ୟାପୀ ଅନୁଷ୍ଠିତ ବିଭିନ୍ନ ଦିବସରେ ୫୬ ପ୍ରହର ନାମଯଜ୍ଞରେ ୪୫ ଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଅଖଣ୍ଡ ନାମ ପରିବେଷଣ କରିଥିଲେ। ପ୍ରତ୍ୟେକ ଦିବସର ଆଠଟି ପ୍ରହରରେ ଯଜ୍ଞ ପୂଜକ ଭାବେ ଦେବାର୍ଚ୍ଚନ ଦାସ, ସୁରେନ୍ଦ୍ର ହୋତା, ବିଦ୍ୟାଧର ଦାସ, ଅର୍ଜୁନ ପଣ୍ଡା, ସୁରେଶ ପ୍ରଶାଦ ନନ୍ଦ, ଗୋପାଳ ନନ୍ଦ ପ୍ରମୁଖ ଘୃତଯଜ୍ଞ କରିଥିଲେ। ଏଥିରେ ଯଜ୍ଞ କର୍ତ୍ତା ଭାବେ ଚମରା ଅମାତ, ଗୋପାଳ ପଣ୍ଡା, ସତ୍ୟାନନ୍ଦ ମେଣ୍ଡଲି, ନରସିଂହ ପଧାନ, ସତ୍ୟନାରାୟଣ ତ୍ରିପାଠୀ ଦାୟିତ୍ୱ ତୁଲାଇଥିଲେ। ପ୍ରତ୍ୟହ ସନ୍ଧ୍ୟାରେ ଭଜନ, ପ୍ରବଚନ, ଧର୍ମସଭା ଅନୁଷ୍ଠିତ ହୋଇଥିଲା। ସିଣ୍ଢୋଲ ଏବଂ ସୁବଳୟା କେଜିବିଭିର ଛାତ୍ରୀଛାତ୍ରଙ୍କ ସମେତ ଇ ମଡେଲ ସ୍କୁଲ, ବୀରମହାରାଜପୁର ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ, ହରିଣାପାଲି, ବାଘପାଲି, ଖୁଣ୍ଟୁଲାପାଲି, କୋଟସମଲାଇ ସ୍କୁଲର ଛାତ୍ରୀଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେହିପରି ରସକି ସାହୁ ଓ ସାଥୀଙ୍କ ଦଣ୍ଡନୃତ୍ୟ, ଶଙ୍କର ବେହେରା ଓ ସାଥୀ, କେନ୍ଦ୍ରାପଡା ପଟାମୁଣ୍ଡାଇର ଗଡମେକର ଅନୁଷ୍ଠାନ, ପଙ୍କଜ କୁମାର ନନ୍ଦ ଓ ସାଥୀ ପାଲା ପରିବେଷଣ କରିଥିଲେ। ଶନିବାର ପୁର୍ଣ୍ଣଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ସମାରୋହରେ ବୀରମହାରାଜପୁର ଉପଜିଲାପାଳ ଅଶୋକ କୁମାର ଭୋଇ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତ୍ୟହ ସକାଳୁ ଶ୍ରୀଜଗନ୍ନାଥଙ୍କ ପୀଠରେ ଭଗବାନ ଷଡଙ୍ଗୀ ନିଜ ସାଥୀଙ୍କ ସହ ଭାଗବତ ସପ୍ତାହ ପାରାୟଣ କରିଥିଲେ। ଏଥି ସହିତ ପତ୍ୟହ ମହାପ୍ରଭୁଙ୍କ ବିଭିନ୍ନ ପ୍ରକାର ବେଶ କରାଯାଇଥିଲା। ମୁଖ୍ୟ ପୂଜକ ଭାବେ ସୁଧିର ପୁରୋହିତ ପୂଜା କାର୍ଯ୍ୟ କରିଥିଲେ। ହଜାର ହଜାର ଭକ୍ତ ପାହାଡ ଚଢି ବିଭିନ୍ନ ଗୁମ୍ପା ଦର୍ଶନ କରିଥିଲେ।