ପଞ୍ଚକ ବ୍ରତ ପାଳନ କରିବାର ତାତ୍ପର୍ଯ୍ୟ

ଧର୍ମମାସ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯାଇଥାଏ। ଏହି ବ୍ରତକୁ ଭୀଷ୍ମ ପଞ୍ଚକ ବ୍ରତ ମଧ୍ୟ କୁହାଯାଇଥାଏ। ମହାଭାରତରେ ଉଲ୍ଲେଖ ରହିଛି, ପିତାମହ ଭୀଷ୍ମ ଶରଶଯ୍ୟାରେ ଥିବା ବେଳେ ପଞ୍ଚୁ ପାଣ୍ଡବଙ୍କୁ ନୀତିଶିକ୍ଷା ଦେଇଥିଲେ। ଏହା ପରେ ଭୀଷ୍ମ ଏକ ପବିତ୍ର ସମୟରେ ଦେହତ୍ୟାଗ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସୂର୍ଯ୍ୟଙ୍କ ଉତ୍ତରାୟଣ ସମୟରେ ପ୍ରାଣତ୍ୟାଗ କଲେ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ପ୍ରଭୁ ଶ୍ରୀକୃଷ୍ଣ କହିଥିଲେ। ଏଣୁ ଭୀଷ୍ମ ଏହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ। ତେଣୁ ଏହାକୁ ଭୀଷ୍ମ ପଞ୍ଚକ ବ୍ରତ ଭାବରେ ସମସ୍ତେ ଜାଣିଥାନ୍ତି।

ଏହି ବ୍ରତ ପାଳନ କଲେ ୧ ହଜାର ଏକାଦଶୀ ବ୍ରତର ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ହିନ୍ଦୁଧର୍ମରେ କାର୍ତ୍ତିକ ମାସରେ ନାରୀମାନେ ବଡି ଭୋର୍‌ରୁ ଉଠି ସ୍ନାନ ସାରି ଚଉରା ମୂଳେ ମୁରୁଜ ପକାଇଥାନ୍ତି। ବୃନ୍ଦାବତୀଙ୍କୁ ପୂଜା କଲେ କୋଟିଜନ୍ମର ପୁଣ୍ୟଫଳ ମିଳେ ବୋଲି ପୁରାଣରେ ବର୍ଣ୍ଣିତ ଅଛି।