Categories: ନୟାଗଡ଼

ନୟାଗଡ଼ ଗୋଛା ଗ୍ରାମରେ ନଗଡ଼ା ପ୍ରତିଛବି

ନୟାଗଡ଼ ଅଫିସ,୩୦।୫-ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କଜଳାଇପଲ୍ଲୀ ପଞ୍ଚାୟତ ଗୋଛା ଗ୍ରାମରେ ଯାଜପୁର ଜିଲା ନଗଡା ଗ୍ରାମ ପ୍ରତିଛବି ଦେଖିବାକୁ ମିଳିଛି। ଏଠାକାର ଲୋକେ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ତାହା ଦୃଷ୍ଟି ଆଢୁଆଳରେ ରହିଯାଇଛି। ଗୋଛା ଗ୍ରାମରେ କିଛି ଆଦିବାସୀ ପରିବାର ବାସ କରୁଛନ୍ତି। ମଙ୍ଗଳବାର ଗୋଚ୍ଛା ଜଙ୍ଗଲରେ ହାତୀମୃତ୍ୟୁ ଖବର ପାଇ କେତେକ ଗଣମାଧ୍ୟମ ପ୍ରତିନିଧି ଉକ୍ତ ଗ୍ରାମ ରାସ୍ତା ଦେଇ ଯାଉଥିଲା ବେଳେ ବାଟରେ ଦାରିଦ୍ର୍ୟର ନିଚ୍ଛକ ଦୃଶ୍ୟ ଦେଖି ଅଟକି ଯାଇଥିଲେ। ଦୁଇ ଜଣ ମହିଳା ପଲିଥିନରେ ପଖାଳ ଭାତ ରଖି ତା’ ସହିତ ଆମ୍ବୁଲ, ଲଙ୍କା ଓ ଲୁଣ ଲଗାଇ ଖାଉଥିଲେ। ସ୍ବାଧୀନତାର ୭୪ ବର୍ଷ ପରେ ବିକାଶଶୀଳ ରାଜ୍ୟରେ ଏପରି ଦୃଶ୍ୟ ବାସ୍ତବିକ୍‌ ଦୁଃଖଦାୟକ। ମହିଳାଦ୍ୱୟ ସକାଳୁ ଜଙ୍ଗଲକୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଘରେ ଟିଫିନ୍‌ ନଥିବାରୁ ପଲିଥିନ୍‌ରେ ପଖାଳ ପୂରାଇ ଆଣିଥିଲେ। ଖାଇ ସାରିବା ପରେ ଜରିକୁ ନିକଟସ୍ଥ ନାଳ ପାଣିରେ ଧୋଇ ପୁଣି ଆସନ୍ତାକାଲି ସେଥିରେ ଭାତ ଆଣିବେ ବୋଲି କହିଥିଲେ। ପେଟ ଚାଖଣ୍ଡକ ପାଇଁ ଲୋକମାନେ କିପରି ସଂର୍ଘଷ କରୁଛନ୍ତି ତାହା ଏଥିରୁ ଅନୁମେୟ। ଭାତ ସାଙ୍ଗରେ ଲଗାଇ ଖାଇବାକୁ ଭଜା, ତରକାରି କଁାଭଁା ସେମାନଙ୍କ ଭାଗ୍ୟରେ ଜୁଟିଥାଏ। ନ ହେଲେ ଗୋଟାଇ ଆଣିଥିବା ଆମ୍ବକୁ ଆମ୍ବୁଲ କରି ବର୍ଷଯାକ ପଖାଳ ସାଙ୍ଗରେ ଖାଇବାକୁ ପଡିଥାଏ। ଏହି ଦୃଶ୍ୟ ଜିଲା ଉନ୍ନତି ଆଡ଼କୁ ଗତି କରୁଛି ବୋଲି ଦିଆ ଯାଉଥିବା ନାରାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଓଡଗଁା ବିଡିଓ ସ୍ବାତିଲେଖା ଦାସଙ୍କୁ ପଚାରିବାରୁ ସେ ଉକ୍ତ ଗ୍ରାମଟି ଦୁର୍ଗମ ଅଞ୍ଚଳରେ ବୋଲି ସ୍ବୀକାର କରିବା ସହ ପୃଷ୍ଟିହୀନତାର କୌଣସି ଖବର ନାହିଁ ବୋଲି କହିଥିଲେ। ଏ ନେଇ କେହି ଅଭିଯୋଗ କଲେ ସେ ଉକ୍ତ ଗ୍ରାମକୁ ଏକ ଟିମ୍‌ ପଠାଇବା ସହ ନିଜେ ଯାଇ ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି।