ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲାନି ଏକାଦଶ: ହାଇକୋର୍ଟ ଯିବାକୁ ଅଭିଭାବକଙ୍କ ଚେତାବନୀ

ନୟାଗଡ଼ ଅଫିସ,୨୬।୫-ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ବର୍ଷ ଏକାଦଶ ଶ୍ରେଣୀ ନ ଖୋଲିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଅଭିଭାବକ ସଂଘ ଏ ନେଇ ହାଇକୋର୍ଟ ଯିବେ ବୋଲି ଏକ ବୈଠକ କରି ନିଷ୍ପତ୍ତି ନେଇଛନ୍ତି। ଜିଲାରେ ସିବିଏସଇ ସିଲାବସ୍‌ ଅନୁଯାୟୀ ଏକାଦଶ ଓ ଦ୍ୱାଦଶ ପଢ଼ିବା ପାଇଁ କୌଣସି ଶିକ୍ଷାନୁଷ୍ଠାନ ନ ଥିବାରୁ ଏ ନେଇ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି। ଛାତ୍ରୀଛାତ୍ରମାନେ କେଉଁଠି ପଢ଼ିବେ ସେ ନେଇ ଚିନ୍ତାରେ ଅଛନ୍ତି।

ଜିଲାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ନା ପ୍ରଶାସନ ନା ସ୍କୁଲ କର୍ତ୍ତୃପକ୍ଷ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ବିଭିନ୍ନ ସମୟରେ ଅଭିଭାବକମାନେ ଧାରଣା ଦେଉଛନ୍ତି। ନୟାଗଡ଼ ସମେତ ଏକା ସମୟରେ ଓଡ଼ିଶାର ସୋନପୁର, ଢେଙ୍କାନାଳ, ଅନୁଗୋଳ, ଯାଜପୁର, ନୂଆପଡ଼ା, ଭଞ୍ଜନଗର, କେନ୍ଦୁଝର, ଆସ୍କା ଆଦି ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଥିଲା। ସେ ସମସ୍ତ ସ୍ଥାନରେ ଏକାଦଶ ଶ୍ରେଣୀ ଖୋଲି ସାରିଲାଣି ହେଲେ ନୟାଗଡ଼ରେ ଏ ପର୍ଯ୍ୟନ୍ତ ଖୋଲି ପାରିନାହିଁ। କିଛିବର୍ଷ ହେଲା ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲୁଛି। ବର୍ତ୍ତମାନ ହାଉର୍ସିଂ ବୋର୍ଡ କଲୋନୀଠାରେ ନବନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇ ପାରୁନାହିଁ। ଏକାଦଶ ଦ୍ୱାଦଶ ଶ୍ରେଣୀ ନ ଖୋଲିବା ଯୋଗୁ ୧୦ମ ପାସ୍‌ କରିଥିବା ଛାତ୍ରୀଛାତ୍ରମାନେ ଉତ୍ତମ ଫଳ ହାସଲ କରିଥିବା ସତ୍ତ୍ୱେ ଉଚ୍ଚଶିକ୍ଷା ପାଇଁ ଜଟଣୀ କିମ୍ବା ଭୁବନେଶ୍ୱରଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ବାହାରେ ରହି ପଢ଼ୁଥିବା ଯୋଗୁ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଦାବି, ଆଲୋଚନା ଏବଂ ଆନ୍ଦୋଳନ ସତ୍ତ୍ୱେ ଉଚ୍ଚ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେଇ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବାରୁ ବାଧ୍ୟ ହୋଇ ଅଭିଭାବକମାନେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବା ସହ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେବେ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ମହାସଂଘର ସଭାପତି ପ୍ରଶାନ୍ତ କୁମାର ଦାସ ଏବଂ ସମ୍ପାଦକ ନିରଞ୍ଜନ ବିଶ୍ୱାଳ ଜଣାଇଛନ୍ତି।