ନୟାଗଡ଼ରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ

ନୟାଗଡ଼ ଅଫିସ,୩୦ା୯:  ଗୋଟିଏ ଦିନରେ ନୟାଗଡ଼ରେ ୩ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ନୟାଗଡ଼ ବ୍ଲକ ଲାଉସେଣା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ (୧୪), ଲାଠିପଡ଼ା ଗ୍ରାମର ନିର୍ମଳା ନାହାକ (୩୦) ଓ ସୁମନ୍ତ ନାହାକ (୨୫)। କୃଷ୍ଣଚନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ନିର୍ମଳା ଓ ସୁମନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଯେ, ନିର୍ମଳା ଓ ସୁମନ୍ତ ସମ୍ପର୍କରେ ଭଉଣୀଭାଇ। ମିଳିଥିବା ସୂଚନା ଅନୁସାରେ କୃଷ୍ଣଚନ୍ଦ୍ରଙ୍କୁ କିଛିଦିନ ହେଲା ଜ୍ୱର ନ ଛାଡ଼ିବାରୁ ପରିବାର ଲୋକେ ତାଙ୍କୁ ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ପରୀକ୍ଷା ପରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜାଣିବାକୁ ପାଇଥିଲେ। ସେହିପରି ୬ ଦିନ ପୂର୍ବରୁ ସୁମନ୍ତଙ୍କୁ ଜ୍ୱର ହେବାରୁ ସେ ନିକଟସ୍ଥ ଏକ ମେଡ଼ିସିନ୍‌ ଦୋକାନରୁ ଔଷଧ ନେଇ ଖାଇଥିଲେ। ପରଦିନ ନିର୍ମଳାଙ୍କୁ ଜ୍ୱର ହେବାରୁ ସେ ମଧ୍ୟ ଔଷଧ ଆଣି ଖାଇଥିଲେ। ୫ଦିନ ଧରି ଭଉଣୀଭାଇଙ୍କୁ ଜ୍ୱର ନ ଛାଡ଼ିବାରୁ ରବିବାର ଅପରାହ୍ନରେ ପରିବାର ଲୋକେ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କ ପରୀକ୍ଷା କରି ଡେଙ୍ଗୁ ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, କିଛିଦିନ ତଳେ ଭାପୁରରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ତାଙ୍କୁ ଚିକିତ୍ସା କରାଯାଇଥିଲା। ଏକ ଟିମ୍‌ ଗଠନ କରାଯାଇ ଗ୍ରାମରେ ସଚେତନତା ସୃଷ୍ଟି କରାଯାଇଥିଲା। ଚିହ୍ନଟ ହୋଇଥିବା ରୋଗୀ ବର୍ତ୍ତମାନ ଚିକିତ୍ସିତ ହେଉଥିବା ସେ ପ୍ରକାଶ କରିଥିଲେ।