Categories: ଖେଳ

ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ କ୍ଷମା ମାଗିଲେ ବେନ୍‌ ଷ୍ଟୋକ୍ସ, ଜାଣନ୍ତୁ କାହିଁକି

ଲର୍ଡସ, ୧୫।୭: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର ପାଇଁ ଟାଇଟଲ ବିଜୟୀ ହୋଇଛି। ତେବେ ମ୍ୟାଚ୍‌ ଜିତିବା ପରେ ଇଂଲଣ୍ଡ ଖେଳାଳି ବେନ୍‌ ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ କ୍ଷମା ମାଗିଛନ୍ତି। ସୁପର ଓଭରରେ ଷ୍ଟୋକ୍ସ ପ୍ରଥମ ତିନିଟି ବଲ୍‌ରେ ୯ ରନ୍‌ କରିଥିଲେ। ଚତୁର୍ଥ ବଲରେ ଏକ ସଟ୍‌ ୨ ପାନ୍‌ ପାଇଁ ଦୌଡିଥିଲେ। ଏହି ସମୟରେ ନ୍ୟୁଜିଲାଣ୍ଡ ଖେଳାଳି ମାର୍ଟିନ ଗପ୍ଟିଲଙ୍କ ଏକ ଭୁଲ ଥ୍ରୋ ଯୋଗୁ ବଲ୍‌ଟି ଷ୍ଟୋକ୍ସଙ୍କ ବ୍ୟାଟରେ ବାଜି ଚୌକା ହୋଇଥିଲା। ଏହି ଚୌକା ଯୋଗୁ ହଁି ଇଂଲଣ୍ଡ ବିଶ୍ୱବିଜୟୀ ହୋଇପାରିଥିଲା। ଭୁଲରେ ବଲଟି ତାଙ୍କ ବ୍ୟାଟରେ ବାଜିଥିବାରୁ ଷ୍ଟୋକ୍ସ କ୍ଷମା ପ୍ରାର୍ଥନା କରିଛନ୍ତି। ସୂଚନାଯୋଗ୍ୟ, ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଖେଳାଯାଇଥିବା ରୋମାଞ୍ଚକ ଫାଇନାଲ ମ୍ୟାଚ ଶେଷରେ ଟାଇରେ ଶେଷ ହୋଇଥିଲା। ଟସ ଜିତି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ ଉଇକେଟ ହରାଇ ୨୪୧ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ଠିକ ୫୦ ଓଭରରେ ସମାନ ୨୪୧ ରନ କରି ଅଲଆଉଟ ହୋଇଥିଲା। ମ୍ୟାଚ ଟାଇ ହେବାଫଳରେ ସୁପର ଓଭର ଖେଳାଯାଇଥିଲା। ଏଥିରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ବିନା ଉଇକେଟ ହରାଇ ୧୫ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଗୋଟିଏ ଉଇକେଟ ହରାଇ ସମାନ ୧୫ ରନ କରିଥିଲା। ଶେଷ ବଲରେ ୨ ରନ ନେବାକୁ ଯାଇ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରନଆଉଟ ହୋଇଥିଲେ। ସୁପର ଓଭର ମଧ୍ୟ ଟାଇରେ ଶେଷ ହୋଇଥିଲା। ତେବେ ଅଧିକ ସଂଖ୍ୟକ ଚୌକା ମାରିଥିବାରୁ ଇଂଲଣ୍ଡ ବିଜୟୀ ଘୋଷିତ ହୋଇଥିଲା

Share