ନ୍ୟାୟ ପାଇଁ ଛାତ୍ରୀଛାତ୍ରଙ୍କ ୧୬ କି.ମି. ପଦଯାତ୍ରା

ସମ୍ବଲପୁର,୬ା୧୧(ବ୍ୟୁରୋ):ସମନ୍ବିତ ବା ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ଯୁବତୀ ଯୁବକଙ୍କୁ ସରକାର ଚାକିରି ଦେବା ପାଇଁ କୌଣସି ସୁବିଧା କରି ନାହାନ୍ତି। କିଛି ଦିନ ତଳେ ଶିକ୍ଷକ ପଦ ପାଇଁ ବାହାରି ଥିବା ବିଜ୍ଞାପନରେ ବିଏଡ୍‌, ଏମ୍‌ଏଡ୍‌ ପାସ୍‌ ଯୋଗ୍ୟତା ମଗାଯାଇଛି । ହେଲେ ସମନ୍ବିତ ବିଏଡ୍‌ ଓ ଏମ୍‌ଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କ ପାଇଁ ଆବେଦନ କରିବାର ସୁବିଧା କରାଯାଉ ନାହିଁ । ତେଣୁ ସମଗ୍ର ରାଜ୍ୟରେ ସମନ୍ବିତ ବିଏଡ୍‌ ଓ ଏମଏଡ୍‌ ପାଠ ପଢୁଥିବା ହଜାର ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପାଠ ପଢିଲା ପରେ ଏବେ ସେମାନେ କୁଆଡେ ଯିବେ। ଏହାର ସମାଧାନ ପାଇଁ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଅଭିଯୋଗ ହେଲା ପରେ ବି କିଛି ସୁଫଳ ମିଳି ନାହିଁ।
ମଙ୍ଗଳବାର ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମନ୍ବିତ ଏମ୍‌ଏଡ୍‌ ଓ ବିଏଡ୍‌ ଛାତ୍ରୀଛାତ୍ର ସମ୍ବଲପୁର ପର୍ଯ୍ୟନ୍ତ ୧୬ କି.ମି. ପଦଯାତ୍ରା କରି ପ୍ରତିବାଦ ଜଣାଇଛନ୍ତି। ବିଶ୍ୱବିଦ୍ୟାଳୟରୁ ଭୁବନେଶ୍ୱର ଲୋକସେବା ଭବନକୁ ଶହେ ଛାତ୍ରୀଛାତ୍ର ପଦଯାତ୍ରାରେ ବାହାରିଥିଲେ। ହେଲେ କିଛି ବାଟ ଆସିଲା ପରେ ପ୍ରାୟ ୧୫ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ। ଏହା ଜାଣି ଜିଲାପାଳ ଶୁଭମ୍‌ ସକ୍‌ସେନା ସେମାନଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଆଲୋଚନା କରିଥିଲେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଦାୟିତ୍ୱରେ ଥିବା କୁଳପତି ପ୍ରଫେସର ଅର୍କ କେଶରୀ ଦାସମହାପାତ୍ର, ରେଜିଷ୍ଟ୍ରାର ସଞ୍ଜତ ସାହୁ ମଧ୍ୟ ଏହି ଆଲୋଚନାରେ ଉପସ୍ଥିତ ଥିଲେ । ୩ ଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ ବୋଲି ଜିଲାପାଳ ସକସେନା ଏମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀଛାତ୍ର ପଦଯାତ୍ରା ସ୍ଥଗିତ କରି ଫେରି ଯାଇଛନ୍ତି। ତେବେ ଏ ସମ୍ପର୍କରେ କୁଳପତି ଦାସମହାପାତ୍ର କହିଛନ୍ତି, ଛାତ୍ରୀଛାତ୍ର ଚାକିରି ନ ମିଳିବାରୁ ଆନ୍ଦୋଳନ କରୁଛନ୍ତି । ଆବେଦନ କରିବାକୁ ଓ୍ବେସାଇଟ୍‌ରେ ସାମାନ୍ୟ ତ୍ରୁଟି ରହିଛି। ତାହା ଠିକ୍‌ କରି ଦିଆଯିବ। ଜିଲାପାଳ ମଧ୍ୟ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ଛାତ୍ରୀଛାତ୍ର ଭୟଭୀତ ହେବା ଅନୁଚିତ। କେନ୍ଦ୍ର ସରକାର ଏହି ପାଠ୍ୟକ୍ରମକୁ ସ୍ବୀକୃତି ଦେଇଛନ୍ତି।