ନୋସିରେ ୯୭୦ ବରିଷ୍ଠ ତୀର୍ଥଯାତ୍ରୀ, ୩୦ ଅଧିକାରୀ: ଆଜି ହରିଦ୍ୱାର, ଋଷିକେଶ ଗସ୍ତ

ବାଲେଶ୍ୱର ଅଫିସ,୧୩।୧୨:ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗରିବ ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ବୁଲାଇବା ଉଦ୍ଦେଶ୍ୟରେ ଗତ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ପ୍ରଣୟନ କରିଥିଲେ। ଚଳିତବର୍ଷ ଏହି ଯୋଜନାରେ ୫ଟି ଜିଲାରୁ ୯୭୦ ବରିଷ୍ଠ ତୀର୍ଥଯାତ୍ରୀ ଓ ୩୦ ଅଧିକାରୀ ହରିଦ୍ୱାର ଓ ଋଷିକେଶ ଭ୍ରମଣ ନିମନ୍ତେ ୬ଦିନିଆ ଗସ୍ତରେ ଶୁକ୍ରବାର ପୂର୍ବାହ୍ନ ୧୧ଟା ୪୫ମିନିଟ୍‌ରେ ସ୍ବତନ୍ତ୍ର ରେଳ ଯୋଗେ ବାଲେଶ୍ୱର ରେଳଷ୍ଟେଶନରୁ ଯାତ୍ରା କରିବେ। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପୂର୍ବାହ୍ନ ୧୧ଟା ୩୫ମିନିଟ୍‌ରେ ଶୁଭାରମ୍ଭ କରିବା ପରେ ଯାତ୍ରା ଆରମ୍ଭ ହେବ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ୫ଟି ଜିଲାର ବିଧାୟକ ଏବଂ ଏମ୍‌ପି, ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି।
ଗୁରୁବାର ଅପରାହ୍ନ ସମୟରେ ବାଲେଶ୍ୱର ଜିଲାରୁ ୨୨୬ ଜଣ ତୀର୍ଥଯାତ୍ରୀଙ୍କ ସହ ୭ଜଣ ଅଧିକାରୀ, ଭଦ୍ରକରୁ ୧୪୬ଜଣ ତୀର୍ଥଯାତ୍ରୀ, ୫ଜଣ ଅଧିକାରୀ, କେନ୍ଦୁଝରରୁ ୧୭୫ ଜଣ ତୀର୍ଥଯାତ୍ରୀ, ୫ ଜଣ ଅଧିକାରୀ, ମୟୂରଭଞ୍ଜରୁ ୨୪୫ ଜଣ ତୀର୍ଥଯାତ୍ରୀ, ୮ ଜଣ ଅଧିକାରୀ, ଯାଜପୁରରୁ ୧୭୮ଜଣ ତୀର୍ଥଯାତ୍ରୀ ଓ ୫ ଜଣ ଅଧିକାରୀଙ୍କ ସମେତ ମୋଟ ୭୯୦ ଜଣ ତୀର୍ଥଯାତ୍ରୀ ଏବଂ ୩୦ଜଣ ଅଧିକାରୀ ରେମୁଣାସ୍ଥିତ ନୋସି ବିଜନେସ୍‌ ପାର୍କରେ ପହଞ୍ଚତ୍ଛନ୍ତି। ତଦାରଖ ପାଇଁ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାସ ନିଆଲଙ୍କ ସମେତ ସମସ୍ତ ପ୍ରଶାସନ ଅଧିକାରୀ ଉପସ୍ଥିତ ରହିଛନ୍ତି। ନୋସି ପାର୍କରେ ସନ୍ଧ୍ୟାରେ ତୀର୍ଥଯାତ୍ରୀଙ୍କ ନିମନ୍ତେ ଭଜନ ସନ୍ଧ୍ୟା ଆୟୋଜିତ କରାଯାଇଛି। ତୀର୍ଥଯାତ୍ରୀଙ୍କ ଲାଗି ରେଳଷ୍ଟେଶନରୁ ନୋସି ପାର୍କ ଏବଂ ନୋସି ପାର୍କରୁ ରେଳଷ୍ଟେଶନକୁ ଯା’ଆସ ନିମନ୍ତେ ସ୍ବତନ୍ତ୍ର ଭାବେ ବସ୍‌ ବ୍ୟବସ୍ଥା କରାଯାଇଛି।