ନୋବେଲ ପୁରସ୍କାର ପଦାର୍ଥ ବିଜ୍ଞାନ-୨୦୧୯ : ବିଶ୍ୱର ଗଠନ ଓ ଇତିହାସ

”ଏହି ଅଜଣା ବସ୍ତୁର ନାମ ‘କୃଷ୍ଣବସ୍ତୁ’ ଓ ‘କୃଷ୍ଣଶକ୍ତି’ ଦିଆଯାଇଛି । ପରବର୍ତ୍ତୀ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ୱରେ ୨୬ ପ୍ରତିଶତ ହେଉଛି କୃଷ୍ଣବସ୍ତୁ ଓ ୬୯ ପ୍ରତିଶତ କୃଷ୍ଣ ଶକ୍ତି । କୃଷ୍ଣବସ୍ତୁ ପଦାର୍ଥକୁ ଆକର୍ଷଣ କରୁଥିବାବେଳେ କୃଷ୍ଣଶକ୍ତି ବିକର୍ଷଣ କରିଥାଏ । ଏହି ଦୁଇ ରହସ୍ୟମୟ ବସ୍ତୁ ବର୍ତ୍ତମାନ ପଦାର୍ଥ ବିଜ୍ଞାନୀମାନଙ୍କ ପାଇଁ ଏକ ଆହ୍ବାନ ସଦୃଶ ହୋଇଛି । ଜେମ୍‌ସ ପିବଲ୍‌ସଙ୍କ ଏହି ଯୁଗାନ୍ତକାରୀ ଆବିଷ୍କାର ପାଇଁ ତାଙ୍କୁ ଏହି ବର୍ଷର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି। ଏହି ବର୍ଷ ଅନ୍ୟ ଦୁଇଜଣଙ୍କୁ ଜ୍ୟୋତିର୍ବିଜ୍ଞାନରେ ଉତ୍କର୍ଷ କାର୍ଯ୍ୟ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ସେମାନେ ହେଉଛନ୍ତି ସୁଇଜରଲାଣ୍ଡର ଦୁଇ
ଜ୍ୟୋତିର୍ବିଦ୍‌ ମାଇକେଲ୍‌ ମେୟର ଓ ଡିଡିଏର୍‌ କୁଇଲୋଜ୍‌।“

ବିଶ୍ୱ ହେଉଛି ଅନନ୍ତ ଓ ଅସୀମ। କୋଟି କୋଟି ଗାଲାକ୍‌ସିକୁ ନେଇ ଏହା ଗଠିତ ଏବଂ ପ୍ରତ୍ୟେକ ଗାଲାକ୍‌ସିରେ ଅଗଣିତ ନକ୍ଷତ୍ର ରହିଛି। ଆମେମାନେ ଏହାର କିୟଦଂଶ ମାତ୍ର ଦେଖିପାରୁଛେ। ଆଦିମ କାଳରୁ ପୃଥିବୀ ବାହାରର ବିଶ୍ୱ ସମ୍ବନ୍ଧରେ ଜାଣିବା ପାଇଁ ମନୁଷ୍ୟ ମନରେ ଉତ୍ସୁକତା ଦେଖାଦେଇଛି। କିନ୍ତୁ ଗତ ଶତାବ୍ଦୀରୁ ବୈଜ୍ଞାନିକମାନେ ବିଶ୍ୱର ଗଠନ ଓ ଇତିହାସ ସମ୍ବନ୍ଧରେ ଧାରଣା କରିପାରିଲେ। ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ, ବିଶ୍ୱ ହେଉଛି ସ୍ଥିର ଏବଂ ଏହାର ପରିବର୍ତ୍ତନ ନାହିଁ। ଏହାକୁ ସ୍ଥିତାବସ୍ଥା ତତ୍ତ୍ୱ କୁହାଯାଏ। କିନ୍ତୁ ୧୯୨୦ ଦଶକରେ ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ଏଡଉଇନ୍‌ ହବଲ୍‌ଙ୍କ ପର୍ଯ୍ୟବେକ୍ଷଣରୁ ଜଣାପଡ଼ିଲା ଯେ ବିଶ୍ୱ ପ୍ରସାରିତ ହେଉଛି। ହବଲ୍‌ଙ୍କ ଆବିଷ୍କାର ଥିଲା ଯେ ଗାଲାକ୍‌ସିଗୁଡ଼ିକ ଆମଠାରୁ କ୍ରମଶଃ ଦୂରକୁ ଚାଲିଯାଉଛନ୍ତି ଏବଂ ଯେଉଁ ଗାଲାକ୍‌ସି ଆମଠାରୁ ଯେତେ ଦୂରରେ ଅଛି, ତାହା ସେତେ ଅଧିକ ବେଗରେ ଦୂରେଇ ଯାଉଛି। ଏହା ପୂର୍ବରୁ ଏହା ମଧ୍ୟ ୧୯୧୬ ମସିହାରେ ପ୍ରକାଶିତ ଆଇନଷ୍ଟାଇନଙ୍କ ସାଧାରଣ ଆପେକ୍ଷିକ ତତ୍ତ୍ୱରୁ ଜଣାପଡ଼ିଥିଲା। ଆଶ୍ଚର୍ଯ୍ୟଜନକ ଯେ ଆଇନଷ୍ଟାଇନ ନିଜେ ସ୍ଥିତାବସ୍ଥା ତତ୍ତ୍ୱର ସମର୍ଥକ ଥିଲେ ଏବଂ ତାଙ୍କ ତତ୍ତ୍ୱରୁ ବିଶ୍ୱ ପ୍ରସାରଣର ସୂଚନା ଜଣାପଡ଼ିବା ପରେ ସେ ତାଙ୍କ ସମୀକରଣରେ ଏକ ଧ୍ରୁବାଙ୍କ ଯୋଗକରି ବିଶ୍ୱକୁ ସ୍ଥିତାବସ୍ଥାକୁ ଆଣିଥିଲେ। ମାତ୍ର ହବଲ୍‌ଙ୍କ ପର୍ଯ୍ୟବେକ୍ଷଣରୁ ବିଶ୍ୱ ପ୍ରସାରଣ ଆବିଷ୍କାର ହେବା ପରେ ସେ ଏହି ଧ୍ରୁବାଙ୍କକୁ ବାହାର କରି ଦେଇଥିଲେ ଏବଂ ଏହାକୁ ତାଙ୍କର ଏକ ‘ବଡ଼ ଭୁଲ୍‌’ ଭାବେ କହିଥିଲେ।
ବିଶ୍ୱ ପ୍ରସାରଣରୁ ଅନୁମାନ କରାଗଲା ଯେ ବିଶ୍ୱ ଅନେକ ବର୍ଷ ତଳେ ଗୋଟିଏ ଛୋଟ ବିନ୍ଦୁରେ ଥିଲା ଏବଂ ପ୍ରଚଣ୍ଡ ବିସ୍ଫୋରଣ ପରେ ଏହା ପ୍ରସାରିତ ହୋଇଛି। ଏହାକୁ ବିଶ୍ୱ ସୃଷ୍ଟିର ‘ବିଗ୍‌ ବ୍ୟାଙ୍ଗ୍‌’ ବା ‘ବୃହତ୍‌ ବିସ୍ଫୋରଣ’ ତତ୍ତ୍ୱ କୁହାଯାଏ। ବୈଜ୍ଞାନିକମାନେ ଗଣନା କରି ଜାଣିପାରିଲେ ଯେ ଏହା ଆଜିଠାରୁ ୧୪ ବିଲିୟନ୍‌ ବର୍ଷ ପୂର୍ବେ ଘଟିଥିଲା ଏବଂ ସେତେବେଳେ ଏହା ଅତି ଉତ୍ତପ୍ତ ଓ ସଘନ ଥିଲା। ଏହାପରେ ବିଶ୍ୱ ପ୍ରସାରିତ ହୋଇ କ୍ରମଶଃ ଥଣ୍ଡା ହେଲା। ବିଗ୍‌ ବ୍ୟାଙ୍ଗ୍‌ର ୪୦୦,୦୦୦ ବର୍ଷ ପରେ ବିଶ୍ୱ ସ୍ବଚ୍ଛ ହେଲା ଏବଂ ଏହା ମଧ୍ୟ ଦେଇ ଆଲୋକ ଗତି କରିପାରିଲା। ଏପରିକି ଆଜି ମଧ୍ୟ ଏହି ପ୍ରାଚୀନ ସୂକ୍ଷ୍ମତରଙ୍ଗ (ମାଇକ୍ରୋଓ୍ବେଭ୍‌) ବିକିରଣ ବିଶ୍ୱର ଅନେକ ଅଜଣା ତଥ୍ୟକୁ ଧରି ମହାକାଶରେ ଅଛି। ଏହା ”ସୂକ୍ଷ୍ମତରଙ୍ଗ ପୃଷ୍ଠଭୂମି ବିକିରଣ“ ନାମରେ ଜଣା ଏବଂ ଏହାର ତାପମାତ୍ରା ପରମ ଶୂନରେ ଅଛି।
କାନାଡ଼ାର ବୈଜ୍ଞାନିକ ଜେମ୍‌ସ ପିବଲ୍‌ସ ୧୯୬୦ ଦଶକରୁ ବିଶ୍ୱର ଆଦ୍ୟକାଳର ଅଳ୍ପ କିଛି ବିକିରଣ ଉପରେ ଗବେଷଣା କରି ବିଶ୍ୱ ଗଠନର ଭୌତିକ ପ୍ରକ୍ରିୟା ଓ ଇତିହାସ ଆବିଷ୍କାର କରିଛନ୍ତି। ସେ ଏକ ତାତ୍ତ୍ୱିକ ମଡ଼େଲ୍‌ ପ୍ରସ୍ତୁତ କରି ତାହା ସାହାଯ୍ୟରେ ସେ ବିଶ୍ୱର ଆକାର ଏବଂ ଏଥିରେ ଥିବା ବସ୍ତୁ ଓ ଶକ୍ତିର ଆକଳନ କରିଥିଲେ। ପରେ ‘ନାସା’ର କୋବେ ପ୍ରକଳ୍ପରେ ପୃଷ୍ଠଭୂମି ବିକିରଣ ମାପ ସହିତ ତାଙ୍କ ଗଣନା ପ୍ରାୟ ସମାନ ଥିଲା। ପୃଷ୍ଠଭୂମି ବିକିରଣର ପରିବର୍ତ୍ତନକୁ ଅଧ୍ୟୟନ କରି ସେ ପ୍ରକାଶ କରିଥିବା ଫଳାଫଳରୁ ଜଣାପଡ଼ିଛି ଯେ ବିଶ୍ୱର ଜଣା ଗ୍ରହ, ନକ୍ଷତ୍ର, ଗାଲାକ୍‌ସି ଆଦି ଏହାର ମାତ୍ର ୫ ପ୍ରତିଶତ ବସ୍ତୁରୁ ନିର୍ମିତ ଏବଂ ଅବଶିଷ୍ଟ ୯୫ ପ୍ରତିଶତ ସମ୍ବନ୍ଧରେ ଆମକୁ କିଛି ଜଣାନାହିଁ। ଏହି ଅଜଣା ବସ୍ତୁର ନାମ ‘କୃଷ୍ଣବସ୍ତୁ’ ଓ ‘କୃଷ୍ଣଶକ୍ତି’ ଦିଆଯାଇଛି। ପରବର୍ତ୍ତୀ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ୱରେ ୨୬ ପ୍ରତିଶତ ହେଉଛି କୃଷ୍ଣବସ୍ତୁ ଓ ୬୯ ପ୍ରତିଶତ କୃଷ୍ଣ ଶକ୍ତି। କୃଷ୍ଣବସ୍ତୁ ପଦାର୍ଥକୁ ଆକର୍ଷଣ କରୁଥିବାବେଳେ କୃଷ୍ଣଶକ୍ତି ବିକର୍ଷଣ କରିଥାଏ। ଏହି ଦୁଇ ରହସ୍ୟମୟ ବସ୍ତୁ ବର୍ତ୍ତମାନ ପଦାର୍ଥ ବିଜ୍ଞାନୀମାନଙ୍କ ପାଇଁ ଏକ ଆହ୍ବାନ ସଦୃଶ ହୋଇଛି। ଜେମ୍‌ସ ପିବଲ୍‌ସଙ୍କ ଏହି ଯୁଗାନ୍ତକାରୀ ଆବିଷ୍କାର ପାଇଁ ତାଙ୍କୁ ଏହି ବର୍ଷର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି। ଏହି ବର୍ଷ ଅନ୍ୟ ଦୁଇଜଣଙ୍କୁ ଜ୍ୟୋତିର୍ବିଜ୍ଞାନରେ ଉତ୍କର୍ଷ କାର୍ଯ୍ୟ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ସେମାନେ ହେଉଛନ୍ତି ସୁଇଜରଲାଣ୍ଡର ଦୁଇ ଜ୍ୟୋତିର୍ବିଦ୍‌ ମାଇକେଲ୍‌ ମେୟର ଓ ଡିଡିଏର୍‌ କୁଇଲୋଜ୍‌। ଉଭୟେ ୧୯୯୫ ଅକ୍ଟୋବରରେ ଆମ ସୌରଜଗତ ବାହାରେ ପ୍ରଥମ ଗ୍ରହକୁ ଆବିଷ୍କାର କରିଥିବାରୁ ସେମାନଙ୍କୁ ଏହି ସମ୍ମାନ ଦିଆଯାଇଛି। ଆମେ ଜାଣୁ ଯେ ସୌରଜଗତରେ ସୂର୍ଯ୍ୟ ଚାରିପଟେ ଆଠଟି ଗ୍ରହ ପରିକ୍ରମଣ କରୁଛନ୍ତି। ସୂର୍ଯ୍ୟ ହେଉଛି ଆକାଶଗଙ୍ଗା ଗାଲାକ୍‌ସିର କୋଟି କୋଟି ନକ୍ଷତ୍ର ମଧ୍ୟରୁ ଗୋଟିଏ ସାଧାରଣ ନକ୍ଷତ୍ର। ଏଣୁ ଜ୍ୟୋତିର୍ବିଦ୍‌ମାନଙ୍କ ମନରେ ପ୍ରଶ୍ନ ଥିଲା ଯେ, ଯଦି ସୂର୍ଯ୍ୟ ଗୋଟିଏ ଗ୍ରାହିକ ପଦ୍ଧତି ସୃଷ୍ଟି କରିପାରିଲା, ତାହାହେଲେ ବିଶ୍ୱରେ ଥିବା ଅଗଣିତ ନକ୍ଷତ୍ର ମଧ୍ୟରୁ କ’ଣ କୌଣସିଟିରେ ଗ୍ରହ ନାହିଁ? ସେମାନେ ଯଦିଓ ଗ୍ରହ ଥିବାର ନିଶ୍ଚିତ ଥିଲେ, ବୈଷୟିକ ଓ ପ୍ରଯୁକ୍ତିବିଦ୍ୟା ବିକାଶର ଅଭାବରୁ ଏହାକୁ ଆବିଷ୍କାର କରିପାରି ନ ଥିଲେ।
ମେୟର ଓ କୁଇଲୋଜ୍‌ ଫ୍ରାନ୍‌ସର ହାଉତେ-ପ୍ରୋଭେନ୍‌ସ ପର୍ଯ୍ୟବେକ୍ଷଣାଗାରରେ ଗୋଟିଏ ବର୍ଣ୍ଣାଳିବୀକ୍ଷକ ଯନ୍ତ୍ର (ସ୍ପେକ୍ଟ୍ରୋସ୍କୋପ୍‌) ନିର୍ମାଣ କରି ତାହା ସାହାଯ୍ୟରେ ଆକାଶଗଙ୍ଗା ଗାଲାକ୍‌ସିରେ ଆମ ସୂର୍ଯ୍ୟ ଭଳି ଏକ ନକ୍ଷତ୍ର ଚାରିପଟେ ପରିକ୍ରମଣ କରୁଥିବା ଗୋଟିଏ ସୌରେତର ଗ୍ରହକୁ ଆବିଷ୍କାର କଲେ। ଏହାର ନାମ ହେଉଛି ”୫୧ ପିଗାସି ବି“। ଏହା ଆମଠାରୁ ୫୦ ଆଲୋକବର୍ଷ ଦୂରରେ ପିଗାସସ୍‌ ନକ୍ଷତ୍ରମଣ୍ଡଳରେ ଅବସ୍ଥିତ। ଏହା ହେଉଛି ବୃହସ୍ପତି ଭଳି ଗୋଟିଏ ଗ୍ୟାସୀୟ ପିଣ୍ଡ। ଏହା ନିଜ ନକ୍ଷତ୍ର ଚାରିପଟେ ପ୍ରତି ଚାରି ଦିନରେ ଥରେ ଘୂରିଆସେ। ଏଣୁ ଏହାର କକ୍ଷ ହେଉଛି ନକ୍ଷତ୍ରର ଅତି ନିକଟତର (କେବଳ ଆଠ ନିୟୁତ କିଲୋମିଟର) ଏବଂ ଏହାର ତାପମାତ୍ରା ୧୦୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ରୁ ଅଧିକ। ଏହି ଆବିଷ୍କାର ଜ୍ୟୋତିର୍ବିଜ୍ଞାନରେ ଏକ ବିପ୍ଲବର ସୂତ୍ରପାତ କଲା। ଏହାପରେ ଜ୍ୟୋତିର୍ବିଦ୍‌ମାନେ ଭୂପୃଷ୍ଠରେ ଥିବା ଦୂରବୀକ୍ଷଣ ଯନ୍ତ୍ର ଏବଂ ମହାକାଶରେ ଅବସ୍ଥାପିତ ହୋଇଥିବା ଘୂର୍ଣ୍ଣାୟମାନ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ୪୦୦୦ରୁ ଅଧିକ ସୌରେତର ଗ୍ରହ ଆବିଷ୍କାର କରିଛନ୍ତି। ବିଶେଷଭାବେ କେପଲର ମହାକାଶ ଦୂରବୀକ୍ଷଣ ଯନ୍ତ୍ର ୨୩୦୦ରୁ ଅଧିକ ସୌରେତର ଗ୍ରହ ଆବିଷ୍କାର କରିଛି ଏବଂ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାର ଟେସ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ଆମ ନିକଟରେ ଥିବା ଦୁଇ ଲକ୍ଷରୁ ଅଧିକ ନକ୍ଷତ୍ରକୁ ପର୍ଯ୍ୟବେକ୍ଷଣ କରି ଗ୍ରହର ସନ୍ଧାନ ନେଉଛି। ଏହି ଗ୍ରହଗୁଡ଼ିକର ଆକାର, ଓଜନ, କକ୍ଷ ଆଦିରେ ଅନେକ ବୈଚିତ୍ର୍ୟ ରହିଛି। ଏଗୁଡ଼ିକୁ ଅଧ୍ୟୟନ କରି ଗ୍ରହଗୁଡ଼ିକ କିପରି ସୃଷ୍ଟି ହୋଇଛି, ତାହା ଜାଣିହେବ। ଜ୍ୟୋତିର୍ବିଦ୍‌ମାନେ ସେଥିମଧ୍ୟରୁ ଗୋଟିଏ ପ୍ରକାର ଗ୍ରହର ସନ୍ଧାନରେ ଅଛନ୍ତି, ଯାହା ପୃଥିବୀ ଭଳି ହୋଇଥିବ ଏବଂ ନିଜ ନକ୍ଷତ୍ରର ‘ବାସଯୋଗ୍ୟ ଅଞ୍ଚଳ’ରେ ରହିଥିବ। ଏହାଫଳରେ ସେଠାରେ ତାପମାତ୍ରା ଅତି ଅଧିକ କିମ୍ବା ଅତି କମ୍‌ ହୋଇ ନ ଥିବ ଏବଂ ତରଳ ଅବସ୍ଥାରେ ଜଳ ରହିଥିବ, ଯାହା ଜୀବ ଉଦ୍ଭବ ପାଇଁ ଜରୁରୀ।
ଏହି ବର୍ଷର ନୋବେଲ ପଦାର୍ଥ ବିଜ୍ଞାନୀମାନେ ବ୍ରହ୍ମାଣ୍ଡ ସମ୍ବନ୍ଧରେ ଆମର ଧାରଣାକୁ ସବୁଦିନ ପାଇଁ ପରିବର୍ତ୍ତନ କରି ଦେଇଛନ୍ତି। ଜେମ୍‌ସ ପିବଲ୍‌ସ ୧୯୩୫ ମସିହାରେ କାନାଡ଼ାରେ ଜନ୍ମଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରିନ୍‌ସଟନ୍‌ ବିଶ୍ୱବିଦ୍ୟାଳୟରେ ଆଲବର୍ଟ ଆଇନଷ୍ଟାଇନ ବିଜ୍ଞାନ ପ୍ରଫେସର ଅଛନ୍ତି। ମାଇକେଲ୍‌ ମେୟର ସୁଇଜରଲାଣ୍ଡରେ ୧୯୪୨ ମସିହାରେ ଓ ଡିଡିଏର୍‌ କୁଇଲୋଜ୍‌ ସୁଇଜରଲାଣ୍ଡରେ ୧୯୬୬ ମସିହାରେ ଜନ୍ମଗ୍ରହଣ କରିଛନ୍ତି ଏବଂ ଉଭୟେ ବର୍ତ୍ତମାନ ସୁଇଜରଲାଣ୍ଡର ଜେନେଭା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ମୋଟ ପୁରସ୍କାର ଅର୍ଥରାଶି ୯ ନିୟୁତ ସୁଇଡେନ୍‌ କ୍ରୋନ୍‌ରୁ ଅଧା ପିବଲ୍‌ସ ପାଇବେ ଏବଂ ଅନ୍ୟ ଅର୍ଦ୍ଧକୁ ଅନ୍ୟ ଦୁଇଜଣ ବିଜ୍ଞାନୀ ସମାନ ଭାବେ ପାଇବେ।

ଇ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର, ମୋ- ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri