ନୋବେଲ ପୁରସ୍କାର ନ ମିଳିବାରୁ ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ

ନ୍ୟୁୟର୍କ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ନ ମିଳିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିସହ ନୋବେଲ ଶାନ୍ତି ପୁରସ୍କାରର ଚୟନ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଯଦି ନିରପେକ୍ଷ ଭାବରେ ବିଚାର କରାଯାଇ ଏହି ପୁରସ୍କାର ଦିଆଯାଇଥାନ୍ତା ତେବେ ଅନେକ ପ୍ରସଙ୍ଗ ପାଇଁ ସେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଥାନ୍ତେ ବୋଲି ଟ୍ରମ୍ପ କହିଛନ୍ତି। ଅନ୍ୟପଟେ ବିଶ୍ୱ ଶାନ୍ତି ପାଇଁ ପ୍ରୟାସ କରିବାକୁ ଯାଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ୨୦୦୯ରେ ନୋବେଲ ପୁରସ୍କାର ମିଳିଥିଲା। ଏହାକୁ ନେଇ ମଧ୍ୟ ଟ୍ରମ୍ପ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ହେବା ପରେ ଓବାମାଙ୍କୁ ପୁରସ୍କୃତ କରାଯାଇଥିଲା ହେଲେ ତାଙ୍କୁ କ’ଣ ପାଇଁ ନୁହେଁ। ସୂଚନାଯୋଗ୍ୟ, ସୋମବାର ନ୍ୟୁୟର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ସାକ୍ଷାତ୍‌କାର ସମୟରେ ଟ୍ରମ୍ପ ନିଜର କ୍ଷୋଭ ପ୍ରକାଶ କରିଥିଲେ। ଟ୍ରମ୍ପ ଓ ଇମ୍ରାନଙ୍କ ସାକ୍ଷାତ୍‌କାର ସମୟରେ ପାକିସ୍ତାନର ଜଣେ ଖବରଦାତା ଟ୍ରମ୍ପଙ୍କୁ ପ୍ରଶ୍ନ କରିଥିଲେ। ସେ କହିଥିଲେ, ଯଦି ଆପଣ କଶ୍ମୀର ପ୍ରସଙ୍ଗର ସମାଧାନ କରିପାରିଥାନ୍ତେ ତା’ହେଲେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଯୋଗ୍ୟ ହୋଇପାରିଥାନ୍ତେ। ତେବେ ଏହାର ପ୍ରତି ଉତ୍ତରରେ ଟ୍ରମ୍ପ ଏଭଳି ପ୍ରତିକ୍ରିୟା ଦେଇଥିବା ଜଣାପଡ଼ିଛି।

Share