ନେହା କକ୍କରଙ୍କ ବଦାନ୍ୟତା: ଦମକଳ କର୍ମଚାରୀଙ୍କୁ ୨ ଲକ୍ଷ ଟଙ୍କା ଦେଲେ ସହାୟତା

ବଲିଉଡ୍‌ ଗାୟିକା ନେହା କକ୍କର ଏବେ ବେଶ୍‌ ଚର୍ଚ୍ଚାରେ। ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ସହ ତାଙ୍କ ବିବାହକୁ ନେଇ ଆଲୋଚନା ଚାଲିଛି। ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଜଜ୍‌ ଭୂମିକାରେ ଥିବା ନେହା ଜଣେ ଦମକଳ କର୍ମଚାରୀଙ୍କ ପ୍ରତି ବଦାନତା ଦେଖାଇଛନ୍ତି। ଗଣତନ୍ତ୍ର ଦିବସ ଉପଲକ୍ଷେ ଇଣ୍ଡିଆନ୍‌ ଆଇଡଲ୍‌-୧୧ ଶୋ’ରେ ଏକ ସ୍ବତନ୍ତ୍ର ଏପିସୋଡ ଶୁଟ୍‌ ଅବସରରେ ଭାରତୀୟ ସେନାର କିଛି ଯବାନ, ପୋଲିସକର୍ମୀ, ସୁରକ୍ଷାକର୍ମୀ ଏବଂ ଦମକଳ କର୍ମୀଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରାଯାଇଥିଲା। ବିପିନ ଗଣତ୍ରା ନାମକ ଜଣେ ଦମକଳକର୍ମୀଙ୍କ ପ୍ରେରଣାଦାୟକ କାହାଣୀ ଶୁଣି ନେହା ତାଙ୍କୁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ। ବିପିନ୍‌ ଗତ ୪୦ ବର୍ଷ ଧରି ନିଆଁ ଲିଭାଇବା କାର୍ଯ୍ୟ କରିଆସୁଛନ୍ତି। ଇତିମଧ୍ୟରେ ସେ ଅନେକଙ୍କ ଜୀବନ ମଧ୍ୟ ବଞ୍ଚାଇସାରିଲେଣି। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି। ନେହା ପୂର୍ବରୁ ମଧ୍ୟ ଶୋ’ରେ ଜଣେ କଣ୍ଠଶିଳ୍ପୀଙ୍କ ଦୁଃଖ କାହାଣୀ ଶୁଣି ତାଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଦେଇଥିଲେ।

Share