ନେହା-ଆଦିତ୍ୟଙ୍କ ବିବାହ ଖବରରେ ପୂର୍ଣ୍ଣଚ୍ଛେଦ ପକାଇଲେ ଟୋନି କକ୍କର

ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆନ ଆଇଡଲ ୧୧’ ଶୋ’ରେ ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣ ଓ ତାଙ୍କ ସ୍ତ୍ରୀ ନେହାଙ୍କୁ ବୋହୂ କରିବାକୁ ଚାହୁଁଥିବା କଥା କହିବା ପରେ ଚର୍ଚ୍ଚା ଆହୁରି ଜୋର ଧରିଥିଲା। ନେହା କୁଆଡେ ଇଣ୍ଡିଆନ ଆଇଡଲ ୧୧’ ଶୋ’କୁ ହୋଷ୍ଟ କରୁଥିବା ଉଦିତ୍‌ଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବିବାହ କରିବେ। ଉଭୟଙ୍କ ବିବାହ ଆସନ୍ତା ଫେବୃୟାରୀ ୧୪ ଅର୍ଥାତ୍‌ ଭାଲେଣ୍ଟାଇନ ଡେ’ରେ ହେବ ବୋଲି କୁହାଯାଉଛି। ଉଭୟଙ୍କ ବିବାହକୁ ନେଇ ନେହାଙ୍କ ଭାଇ ଟୋନି କକ୍କର ଏକ ଖୁଲାସା କରିଛନ୍ତି। ଟୋନି କହିଛନ୍ତି, ‘ଫେବୃଆରୀ ୧୪ରେ ଏମାନଙ୍କର ବିବାହ ହେବାକୁ ଯାଉଛି, ତେଣୁ ଏମାନେ ସିଙ୍ଗଲ ଥିବାବେଳେ ମୁଁ ଶୁଟ କରିବାକୁ ଚାହୁଁଛି’। ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର୍‌ କରି ଏହା କହିଛନ୍ତି। ଭିଡିଓରେ ଟୋନି, ନେହା ଓ ଆଦିତ୍ୟ ଗୋଆ ସମୁଦ୍ର କୂଳରେ ମଜା କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଆଦିତ୍ୟ, ଟୋନିଙ୍କୁ ତାଙ୍କର ପ୍ରକୃତ ଶଳା ବୋଲି କହିଛନ୍ତିି। ‘ଇଣ୍ଡିଆନ ଆଇଡଲ ୧୧’ ଶୋ’ରେ ଅନେକ ଥର ଆଦିତ୍ୟ ତାଙ୍କ ପ୍ରେମର ପରିପ୍ରକାଶ ନେହାଙ୍କ ଆଗରେ କରିଥିଲେ। କିନ୍ତୁ ତାହା ରିଲ ବୋଲି ଦର୍ଶକ ଭାବୁଥିବାବେଳେ ଗୋଟିଏ ଏପିସୋଡରେ ଉଦିତ୍‌ ନାରାୟଣ ଓ ତାଙ୍କ ସ୍ତ୍ରୀଙ୍କୁ ଉକ୍ତ ଶୋ’ରେ ଦେଖିବାକୁ ମିଳିଥିଲା। ଉଭୟ ନେହାଙ୍କୁ ବୋହୂ କରିବାକୁ ଚାହୁଁଛନ୍ତି ବୋଲି ଖୋଲାଖୋଲି କହିଥିଲେ। ଏହାପରଠାରୁ ନେହା ଏବଂ ଆଦିତ୍ୟ ବିବାହକୁ ନେଇ ଚର୍ଚ୍ଚା ଉଠିଥିଲା। ଉଭୟଙ୍କୁ ଶୋ’ର ଏକ ଏପିସୋଡରେ ରୋମାଣ୍ଟିକ ଗୀତରେ ଡ୍ୟାନ୍ସ କରୁଥିବାର ଦେଖାଯାଇଥିଲା।

Share