Categories: ଜାତୀୟ

ନେପାଳ ରାସ୍ତା ଦେଇ ଭାରତରେ ଅନୁପ୍ରବେଶ କରିପାରନ୍ତି ଆତଙ୍କବାଦୀ

ପିଥୋରଗଡ,୨୫।୧୦: ନେପାଳ ରାସ୍ତା ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶ ଆଶଙ୍କାରେ ଭାରତ-ନେପାଳ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ପିଥରଗଡର ପୁଲିସ ଅଧୀକ୍ଷକ ଗୁରୁବାର ସନ୍ଧ୍ୟାରେ ଝୁଲାଘାଟରେ ପହଞ୍ଚି ସୀମାର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ପିଥୋରଗଡ ଜିଲାର କାଳୀ ନଦୀ ଭାରତ ଓ ନେପାଳ ସୀମାକୁ ବିଭାଜନ କରୁଛି। ପାଖାପାଖି ୧୮୦ କିଲୋମିଟର ଲମ୍ବା ଏହି ସୀମାରେ ୬ଟି ଝୁଲା ପୋଲରେ ଯାତାୟତ ହୋଇଥାଏ। ନେପାଳ ସହ ସୁସମ୍ପର୍କ ଥିବା କାରଣରୁ ଦୁଇ ଦେଶ ମଧ୍ୟରେ ବିନା କୌଣସି ଦ୍ୱନ୍ଦରେ ଲୋକମାନେ ଗମନାଗମନ କରିଥାନ୍ତି। କିନ୍ତୁ ଅନୁପ୍ରବେଶକାରୀ ଏହାର ସୁଯୋଗ ନେଇପାରନ୍ତି ବୋଲି ଆଶଙ୍କା କରି ସୀମାରେ ଅବାଞ୍ଛିତ ଗତିବିଧି ଉପରେ ନଜର ରଖିବାକୁ ଏସ୍‌ଏସ୍‌ବି ନିୟୋଜିତ ହୋଇଛନ୍ତି। ଦୀପାବଳି ଅବସରରେ ଆତଙ୍କୀ ସୀମାରେ ଅନୁପ୍ରବେଶ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ୧୦ ଦିନ ପର୍ଯ୍ୟନ୍ତ ଆଲର୍ଟ ଜାରି କରାଯାଇଛି।

Share