ନେତାଙ୍କ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପ୍ରସଙ୍ଗ:କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ):ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗ ସଂକ୍ରାନ୍ତୀୟ ଏକ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆରସି)ଙ୍କ ପକ୍ଷରୁ ଓଡ଼ିଶା ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ସେପ୍ଟେମ୍ବର ୯ରେ ଭଦ୍ରକରେ ଶାସକ ଦଳ ପକ୍ଷରୁ କରାଯାଇଥିବା ବାଇକ୍‌ ରାଲିରେ ସାମିଲ କର୍ମୀ ଓ ନେତାମାନେ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଏବଂ କେତେଜଣ ସିଟ୍‌ ବେଲ୍ଟ ନ ବାନ୍ଧି କାର ଚଲାଉଥିଲେ। କିନ୍ତୁ ଟ୍ରାଫିକ୍‌ ପରିଚାଳନା ଦାୟିତ୍ୱରେ ଥିବା ପୋଲିସ୍‌ ନୀରବଦ୍ରଷ୍ଟା ସାଜିଥିଲା। ସେହି ପୋଲିସ୍‌ କର୍ମଚାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ମାନବାଧିକାର କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ଅଭିଯୋଗର ଶୁଣାଣି କରି କମିଶନ ଦୁଇ ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।