Categories: ଖେଳ

ନେଟ୍ସରେ ବୋଲିଂ କରିବେ ବୁମ୍‌ରା

ନୂଆଦିଲ୍ଲୀ,୧୩।୧୨(ପି.ଟି.): ଆହତ ହୋଇଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ରିହାବିଲିଟେଶନରେ ରହିଥିବା ବେଳେ ଏବେ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ପସ୍ତୁତି ଚଳାଇଛନ୍ତି। ତେବେ ଏଥିପାଇଁ ତାଙ୍କୁ ଫିଟ୍‌ନେସର ପ୍ରମାଣ ଦେବାକୁ ହେବ। ଫଳରେ ୧୮ ତାରିଖରେ ବିଶାଖାପାଟଣାରେ ଖେଳାଯିବାକୁଥିବା ଦ୍ୱିତୀୟ ଦିନିକିଆ ପୂର୍ବରୁ ତାଙ୍କୁ ନେଟ୍ସରେ ବୋଲିଂ କରିବା ସହ ଭାରତୀୟ ଦଳ ସହ ସମୟ ବିତାଇବାକୁ ହେବ। ଏହା ପରେ ତାଙ୍କ ଫିଟ୍‌ନେସ ନେଇ ଆକଳନ କରାଯିବ। ଏଥି ସହିତ ସେ ଦଳକୁ କେବେ ପ୍ରତ୍ୟାବର୍ତ୍ତନ କରିବେ ସେ ନେଇ ମଧ୍ୟ ସ୍ଥିତି ସ୍ପଷ୍ଟ ହେବ। ୧୫ ତାରିଖରେ ଚେନ୍ନାଇରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ।
ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ବୁମ୍‌ରା ଷ୍ଟ୍ରେସ୍‌ ଫ୍ରାକ୍ସଚର ଯୋଗୁ ଆହତ ହୋଇଥିଲେ ମଧ୍ୟ ସମୟକ୍ରମେ ସୁସ୍ଥତା ଲାଭ କରିଛନ୍ତି। ଆସନ୍ତାବର୍ଷ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ସେ ଫିଟ୍‌ ହୋଇଯାଇଥିବେ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଆଶା କରୁଛି। ଏବେ ସେ ନିୟମ ଅନୁସାରେ ଭାରତୀୟ ଦଳ ସହ ନେଟ୍‌ ସେସନରେ ସାମିଲ ହେବେ। ନୂଆ ନିୟମ ଅନୁସାରେ ଯେକୌଣସି ଆଘାତପ୍ରାପ୍ତ ଖୋଳାଳି ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ପ୍ରଥମେ ରିହାବିଲିଟେଶନ ପ୍ରୋଗ୍ରାମ୍‌ରେ ସାମିଲ ହେବା ଜରୁରୀ। ଏହାପୂବରୁ ଅନ୍ୟତମ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଫିଟ୍‌ନେସ ନେଇ ବାଂଲାଦେଶ ବିପକ୍ଷ ଟେଷ୍ଟ ପୁର୍ବରୁ ଇନ୍ଦୋରରେ ଟେଷ୍ଟ କରାଯାଇଥିଲା। ଯଦିଓ ସେ ସେତେବେଳେ ଦଳରେ ନ ଥିଲେ।
ବୁମ୍‌ରାଙ୍କ ଭଳି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ରିହାବିଲିଟେଶନରେ ରହିଛନ୍ତି। ତେବେ ୨୬ ବର୍ଷୀୟ ବୁମ୍‌ରା ଆଗାମୀ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ ପୂର୍ବରୁ ଦଳକୁ ଫେରିବାର ସମ୍ଭାବନା କମ୍‌ ରହିଛି। ନ୍ୟୁଜିଲାଣ୍ଡ ଗସ୍ତରେ ସାମିଲ ହେବା ପୂର୍ବରୁ ସେ ଗୋଟିଏ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବାର ସମ୍ଭାବନା ରହିଛଇ। ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ବୁମ୍‌ରା ପ୍ରଥମେ ଭାରତ ଏ’ ଦଳ ପାଇଁ ଖେଳିବାର ସମ୍ଭାବନା ରହିଛି। ଉଲ୍ଲେଖଥାଉ କି, ବୁମ୍‌ରା ଏପର୍ଯ୍ୟନ୍ତ ୧୨ ଟେଷ୍ଟ ଖେଳି ୬୨, ୫୮ ଦିନିକିଆ ଖେଳି ୧୦୩ ଓ ୪୨ ଟି୨୦ ୫୧ଟି ଉଇକେଟ ହାସଲ କରିଛନ୍ତି।

Share