ନୂଆ ମୋଟର ଯାନ ଆଇନ ଅଡୁଆ: ପରିବହନ ବିଭାଗରେ ଖୋଲିଲା କଲ୍‌ ସେଣ୍ଟର; ସକାଳ ୮ରୁ ରାତି ୧୦ଟା ଯାଏ ଖୋଲା ରହିବ

ଭୁବନେଶ୍ୱର, ୮।୯(ବ୍ୟୁରୋ): ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ କରାଯାଇଛି। ଜରିମାନା ରାଶିକୁ କେଇ ଗୁଣା ବଢାଇ ଦିଆଯାଇଛି। ଏହାକୁ ନେଇ ଜନଅସନ୍ତୋଷ ଦେଖାଦେଉଛି। ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ କେତେକ ପଦକ୍ଷେପ ନେଇଛି। ଏ ନେଇ ବିଭାଗୀୟ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସଂଶୋଧିତ ମୋଟର ଯାନ ଆଇନ ବିଷୟରେ ଜାଣିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗରେ ଏକ କଲ୍‌ ସେଣ୍ଟର ଖୋଲାଯାଇଛି। ୧୮୦୦-୩୪୫-୧୦୭୩ ଟୋଲ୍‌ ଫ୍ରି ନମ୍ବରରେ କଲ୍‌ କରିପାରିବେ। ଏହି କଲ୍‌ ସେଣ୍ଟର ସକାଳ ୮ଟାରୁ ରାତି ୧୦ଟା ଯାଏ ଖୋଲା ରହିବ। ଏଥିସହିତ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ କାର୍ଯ୍ୟାଳୟରେ ହେଲ୍‌ପ ଡେସ୍କ ଖୋଲାଯାଇଛି। ଜନସାଧାରଣ ସେଠାରୁ ସମସ୍ତ ପ୍ରକାର ସହାୟତା ପାଇପାରିବେ। ଅଟୋରିକ୍ସା ଫିଟ୍‌ନେସ ସାର୍ଟିଫିକେଟ ଏବଂ ନବୀକରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଲର୍ନିଂ ଲାଇସେନ୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ଅଧିକ ଯୋଗାଇବା ପାଇଁ ଆବେଦନକାରୀଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ସମସ୍ତ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି। ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ରାଜ୍ୟସ୍ତରରେ ଦୈନିକ ପ୍ରଦୂଷଣ ସାର୍ଟିଫିକେଟ ଏବଂ ଡ୍ରାଇଭିଂ ଲାଇସେନ୍ସକୁ ମନିଟରିଂ କରାଯିବ ବୋଲି ସଚିବ ସୂଚନା ଦେଇଛନ୍ତି।