ନୂଆ ମୋଟର ଯାନ ଆଇନକୁ ନାପସନ୍ଦ କଲେ ମନ୍ତ୍ରୀ: କହିଲେ ‘ଲୋକଙ୍କୁ ସତର୍କ କରାଇ ଏହାକୁ ଲାଗୁ କରିବା କଥା’

ଭୁବନେଶ୍ୱର,୬।୯(ବ୍ୟୁରୋ): ଦେଶବ୍ୟାପି ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନ ବିରୋଧରେ ବିଭିନ୍ନ ମହଲରେ ପ୍ରତିବାଦର ସ୍ବର ଉଠୁଛି। ଜନସାଧାରଣ ଏହାକୁ ନାପସନ୍ଦ କରୁଥିବା ବେଳେ ଶୁକ୍ରବାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ନିଜର ପ୍ରତିକ୍ରିୟା ରଖିଛନ୍ତି।
ସୁଶାନ୍ତ କହିଛନ୍ତି, ବାଇକ୍‌ରେ ଗଲେ ଯେତିକି ୫୦ଲକ୍ଷ ଟଙ୍କାର ଗାଡ଼ିରେ ଗଲେ ବି ସେତିକି ଜରିମାନା ଦେବାକୁ ପଡ଼ୁଛି। ଲୋକେ ସାଙ୍ଗରେ ଯେତିକି ଟଙ୍କା ନେଇ ଯାଉଛନ୍ତି, ତା’ଠାରୁ ଅଧିକ ଜରିମାନା ଦେଉଛନ୍ତି। ଏଣୁ ପ୍ରଥମେ ଲୋକଙ୍କୁ ସତର୍କ ସୂଚନା ଦେଇ ପରେ ଆଇନକୁ ଲାଗୁ କରିବା କଥା। ଏବେ ଗରିବ ଲୋକେ ଆଉ ଗାଡ଼ି ଚଳାଇପାରିବେ ନାହିଁ। ତେଣୁ ଏହି ଆଇନ୍‌ରେ ଅସଙ୍ଗତି ଥିବା ମନ୍ତ୍ରୀ କହିଛନ୍ତି।