ନୂଆ ମୋଟର ଆଇନ ଲାଗୁ ପରେ ମଦ ବ୍ୟବସାୟ ମାନ୍ଦା: କମିଛି ୨୫% ବ୍ୟବସାୟ, ଚିନ୍ତାରେ ମାଲିକ

ଭୁବନେଶ୍ୱର, ୭ା୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂଆ ମୋଟରଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ଲାଗୁ ହେବା ପରେ ଏହାର ପ୍ରଭାବ ମଦ ବ୍ୟବସାୟ ଉପରେ ପଡ଼ିଛି। କାରଣ ଏହି ଆଇନ ଅନୁଯାୟୀ, ଜଣେ ଗାଡ଼ି ଚାଳକ ମଦ ପିଇ ଗାଡ଼ି ଚଲାଉଥିଲେ ପ୍ରଥମ ଥର ଧରାପଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଦେବେ। ଦ୍ୱିତୀୟ ଥର ଧରାପଡ଼ିିଲେ ୧୫ହଜାର ଟଙ୍କା ଜରିମାନା ସହ ୨ବର୍ଷ ଜେଲ ଦଣ୍ଡ ଭୋଗିବାର ନିୟମ ରହିଛି। ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀର ଲୋକେ ଦୋକାନ ଯାଇ ମଦ କିଣି ପିଉଥିଲେ। ହେଲେ ମଦ ପିଇ ଗାଡ଼ି ଚଲାଇ ଧରାପଡ଼ିଲେ ଏତେ ଟଙ୍କା ଜରିମାନା ଆକାରରେ ଦେବାକୁ ହେବ ଭାବି ଅନେକ ମଦ ଦୋକାନ ମାଟି ମାଡୁନାହାନ୍ତି। ଯଦି କେହି କଁ। ଭଁ। ଯାଉଛନ୍ତି ସେମାନେ ମଦ ଆଣି ସାଥିରେ ଘରକୁ ଯାଉଛନ୍ତି। ଘରେ ପିଇ ଶୋଇ ପଡୁଥିବା ଅନେକ ବ୍ୟକ୍ତି କହିଛନ୍ତି।
ସେହିପରି ମଦ ବ୍ୟବସାୟୀ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏକାଧିକ ମଦ ଦୋକାନୀ ମାଲିକ ନିଜ ବେପାର ଏବେ ମାନ୍ଦାରେ ଚାଲିଥିବା କହିଛନ୍ତି। ପାଖାପାଖି ୨୫ପ୍ରତିଶତ ମଦ ବ୍ୟବସାୟରେ କ୍ଷତି ହୋଇଥିବା ଅଧିକାଂଶ ମାଲିକ କହିଛନ୍ତି। ବାର୍‌ ମାଲିକ ଶିବ ପ୍ରସାଦ ମହାନ୍ତି କହିଛନ୍ତି, ଆଗରୁ ପ୍ରତିଦିନ ୧୦୦ରୁ ଅଧିକ ଲୋକେ ବାର୍‌କୁ ଆସୁଥିଲେ। ହେଲେ ନିୟମ ଲାଗୁ ହେବା ପରେ ଏବେ ବାର୍‌କୁ ୩୦ରୁ ୪୦ ଜଣ ବ୍ୟକ୍ତି ଆସୁଛନ୍ତି। ମଦ ଦୋକାନୀ ବିଜୟ ସାହୁ କହିଛନ୍ତି,ଟ୍ରାଫିକ ନିୟମ ଲାଗୁ ପରେ ଏବେ ମଦ ବେପାର ମାନ୍ଦା ଚାଲିଛି। ଆଗଭଳି ଆଉ ଗ୍ରାହକ ଆସୁନାହାନ୍ତି। ତେଣୁ ମଦ ବ୍ୟବସାୟ ୨୫ ପ୍ରତିଶତ କମିଛି।
ସେହିପରି ଶୁକ୍ରବାର ଭୁବନେଶ୍ୱରରେ ୪୪୪ଜଣ ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟ ୪ଲକ୍ଷ ୧୦ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ବିନା ହେଲମେଟରେ ୨୦୪ ଜଣ ଧରାପଡିଥିବା ବେଳେ ସିଟ୍‌ବେଲ୍ଟ ବାନ୍ଧି ନ ଥିବା-୧୪୧, ରଙ୍ଗରୁଟ୍‌-୧, ସିଗନାଲ ନ ମାନିବା-୫, ୩ଜଣ ବାଇକରେ ଯିବା-୩୦, ଗାଡ଼ିି ଚଲାଇବା ବେଳେ ମୋବାଇଲ୍‌ରେ ଗପିବା-୧, ବିନା ନମ୍ବର ପ୍ଲେଟରେ ଯିବା-୧୪, ଓଭରଲୋଡିଂ-୨, ଗାଡ଼ି କାଗଜପତ୍ର ନ ଥିବା-୨, ବେଆଇନ୍‌ ପାର୍କିଂ-୭, ଆର୍‌ସି ଓ ଡିଏଲ୍‌ ନ ଥିବା-୨୪ ଏବଂ ନୋ ଏଣ୍ଟ୍ରିରେ ପଶି ଜଣେ ଧରାପଡ଼ିିଛନ୍ତି।