ନୂଆ ଟ୍ରେଣ୍ଡରେ ମାଇକ୍ରୋ ସନ୍‌ଗ୍ଲାସ୍‌: ଜାଣନ୍ତୁ ଲାଟେଷ୍ଟ ଡିଜାଇନ୍‌, କିଛି ଟିପ୍ସ

ଆଜିକାଲି ମାର୍କେଟ୍‌ରେ ଛୋଟ ସାଇଜ୍‌ ମାଇକ୍ରୋ ସନ୍‌ଗ୍ଲାସେସ୍‌ର ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ଯାହାକୁ ବଲିଉଡ୍‌ ଡିଭାଙ୍କଠାରୁ ଆରମ୍ଭ କରି ସାଧାରଣ ଯୁବତୀମାନେ ବେଶ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। କୁହାଯାଉଛି, ନବେ ଦଶକରେ କୁଆଡ଼େ ଏହି ସନ୍‌ଗ୍ଲାସେସ୍‌ର ହଟ୍‌ ଫ୍ୟାଶନ ଥିଲା। ଆଉ ପୁଣିଥରେ ଏବେ ଏହି ଟ୍ରେଣ୍ଡର ପୁନରାବୃତ୍ତି ହୋଇଛି। ତେବେ ଏହାର କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ ଆସିଛି ଆଉ ଏ ନେଇ କ’ଣ ଟିପ୍ସ ରହିଛି, ଆସନ୍ତୁ ଜାଣିବା ସେ ସମ୍ପର୍କରେ…


କେଉଁ ଶେପ୍‌ ଓ ରଙ୍ଗର ଫ୍ରେମ୍‌ ଭଲ ମାନିଥାଏ
ସାଧାରଣତଃ ମାଇକ୍ରୋ ସନ୍‌ଗ୍ଲାସ୍‌ଗୁଡ଼ିକରେ ଛୋଟ ଫ୍ରେମ୍‌ ଲାଗିଥାଏ। ଖାସ୍‌ କରି ହେକ୍ସାଗନ(ଷଡ଼ଭୂଜ), କ୍ୟାଟ୍‌ ଆଇ, ଓଭାଲ୍‌ ପ୍ଲେଟ୍‌ ଶେପ୍‌ବାଲା ବାଇଗଣୀ, ନାଲି, ନୀଳ, ମାଟିଆ ତଥା କଳା ରଙ୍ଗର ଫ୍ରେମ୍‌ ଲାଗିଥିବା ଏହି ସନ୍‌ଗ୍ଲାସ୍‌ ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗିଥାଏ।


କେଉଁ ଅକେଜନ୍‌ ପାଇଁ କେଉଁ ସନ୍‌ଗ୍ଲାସ୍‌
-ଡାର୍କ କିମ୍ବା ଟିଣ୍ଟେଡ ମାଇକ୍ରୋ ସନ୍‌ଗ୍ଲାସ୍‌ ସେକ୍ସି ଲୁକ୍‌ ଦେଇଥାଏ। ଖାସ୍‌ କରି ସାଙ୍ଗମାନଙ୍କ ସହ ବିଚ୍‌ ପାର୍ଟି କିମ୍ବା ବ୍ରଞ୍ଚ ପାର୍ଟିରେ ଯାଉଥିଲେ ଏହାକୁ ଟ୍ରାଏ କରିପାରିବେ।
-ସେହିପରି ଜ୍ୟୋମେଟ୍ରିକ୍‌ ଫ୍ରେମ୍‌ବାଲା ମାଇକ୍ରୋ ସନ୍‌ଗ୍ଲାସେସ୍‌ଗୁଡ଼ିକ ଫ୍ୟାନ୍ସି ଲୁକ୍‌ ଦିଏ। ଏହାକୁ ମଧ୍ୟ ସାଙ୍ଗମାନଙ୍କ ସହ କୌଣସି ପାର୍ଟି, ଫଙ୍କସନ୍‌ରେ ଗଲାବେଳେ ପିନ୍ଧି ପାରିବେ।
-ଅନ୍ୟପକ୍ଷେ ରାଉଣ୍ଡ ଫ୍ରେମ୍‌ର ମାଇକ୍ରୋ ସନ୍‌ଗ୍ଲାସ୍‌କୁ ମଧ୍ୟ କେହି କେହି ପିନ୍ଧୁଥିବା ଦେଖିବାକୁ ମିଳିଥାଏ। ଏହାକୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ପିନ୍ଧାଯାଇପାରେ।
-ମଡର୍ନ କ୍ୟାଟ୍‌ ଆଇ ସନ୍‌ଗ୍ଲାସେସ୍‌ର ମଧ୍ୟ ଏଇ ସିଜନରେ ଭଲ ଚାହିଦା ରହୁଥିବା ଦେଖିବାକୁ ମିଳୁଛି। ଏହା ରେଗୁଲାର୍‌ କ୍ୟାଟ୍‌ ଆଇ ସନ୍‌ଗ୍ଲାସେସ୍‌ର ଆଡଭାନ୍ସ ଭର୍ସନ ଅଟେ।


କିଛି ଟିପ୍ସ
-ସନ୍‌ଗ୍ଲାସେସ୍‌ କିଣିଲାବେଳେ ସବୁବେଳେ ଧ୍ୟାନ ଦେବେ, ଯେମିତିକି ଏହାର ଫ୍ରେମ୍‌ ଅଧିକ ଭାରି ହୋଇ ନ ଥିବ। ମାର୍କେଟ୍‌ରେ ପ୍ଲାଷ୍ଟିକ୍‌ରୁ ଆରମ୍ଭ କରି ମେଟାଲର ଫ୍ରେମ୍‌ ମଧ୍ୟ ମିଳୁଛି। ନିଜ ରୁଚି ଅନୁସାରେ ଯେ କୌଣସି ଫ୍ରେମ୍‌ବାଲା ସନ୍‌ଗ୍ଲାସ୍‌ କିଣି ଆପଣ ଟ୍ରାଏ କରିପାରିବେ।
-କିନ୍ତୁ ସର୍ବଦା ନିଜ ମୁହଁର ଆକାର ଓ ବ୍ୟକ୍ତିତ୍ୱକୁ ସୁହାଇଲା ଭଳି ଉପଯୁକ୍ତ ରଙ୍ଗ ଓ ଡିଜାଇନ୍‌ର ଫ୍ରେମ୍‌ କିଣିବା ଦରକାର।
-ସେହିପରି ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ସାଧାରଣ ସନ୍‌ଗ୍ଲାସ୍‌ ତୁଳନାରେ ଭଲ ବ୍ରାଣ୍ଡର ସନ୍‌ଗ୍ଲାସ୍‌ ବ୍ୟବହାର କରିବା ଦରକାର। କାରଣ ବେଳେବେଳେ ଲୋକାଲ୍‌ ବ୍ରାଣ୍ଡର ସନ୍‌ଗ୍ଲାସ୍‌ ବ୍ୟବହାର କରିବା ଦ୍ୱାରା ଆଖିତ୍ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡୁଥିବା ଦେଖିବାକୁ ମିଳିଥାଏ।
-ତା’ଛଡ଼ା ସନ୍‌ଗ୍ଲାସ୍‌ ଏପରି ହେବା ଦରକାର, ଯାହା ଆଖିକୁ ଭଲ ଭାବେ ଢାଙ୍କି ରଖିବା ସହ ଏହାର ଓଜନ କମ୍‌ ହୋଇଥିବ। ସେହିପରି ସ୍କ୍ରାଚ୍‌ ପ୍ରୁଫ୍‌ ହୋଇଥିଲେ ଆହୁରି ଭଲ।