ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଛେଳି ଗୁହାଳ

ବରଗଡ଼ ଅଫିସ୍‌,୧।୭: ବରଗଡ଼ ସହରର ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଉଦଘାଟନକୁ ୭ ମାସ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ସେହି ବସଷ୍ଟାଣ୍ଡ ପରିସରରେ ବସ୍‌ର ଚକ ବି ଗଡ଼ିନାହିଁ । ଅନ୍ୟପଟେ ବସଷ୍ଟାଣ୍ଡଟି ଏବେ ଛେଳି ଗୁହାଳ ପାଲଟିଛି । କେବଳ ସେତିକି ନୁହେଁ, ପାଖକୁ କଂସେଇଖାନାରେ ଛେଳି ହଣାଯାଉଥିବା ଯୋଗୁ ବସଷ୍ଟାଣ୍ଡର ଗୋଟିଏ କୋଣରେ ରକ୍ତଛିଟା ଜମି ରହୁଛି । କଥା ଏତିକିରେ ସରିନାହିଁ, ବସଷ୍ଟାଣ୍ଡର ଚାରି ପାର୍ଶ୍ୱରେ ମଦ ବୋତଲ ପଡ଼ି ରହିଥିବା ପରିଲକ୍ଷିତ ହୋଇଛି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ବସ୍‌ଷ୍ଟାଣ୍ଡ ହୋଇଥିଲା, ତାହା ଆରମ୍ଭରୁ ଲକ୍ଷ୍ୟଚ୍ୟୁତ ହୋଇ ପଡ଼ିରହିଛି ।
ପ୍ରାୟ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ବରଗଡ଼-ଭେଡ଼େନ ରାସ୍ତାର କେନାଲ ଛକ ପାର୍ଶ୍ୱରେ ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ବସ୍‌ଷ୍ଟାଣ୍ଡର ତିନି ପାର୍ଶ୍ୱରେ ୨ ମହଲା ଦୋକାନ ଗୃହ ରହିଛି । ଏହାର ଉତ୍ତର ପଟେ ଉଭୟ ତଳ ଓ ଉପର ମହଲାରେ ୨୮ଟି, ପୂର୍ବ ପଟେ ୧୮ଟି ଏବଂ ଦକ୍ଷିଣ ପଟେ ୨୩ଟି ଲେଖାଏଁ ଦୋକାନ ଗୃହ ରହିଛି। ପଶ୍ଚିମ ପଟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ହୋଇଛି। ସମୁଦାୟ ୧୩୮ଟି ଦୋକାନ ଗୃହ ଥିବାବେଳେ ଏପର୍ଯ୍ୟନ୍ତ କାଁ ଭାଁ ଗୋଟିଏ ଦୁଇଟିକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିଛି । ଏହି ବସଷ୍ଟାଣ୍ଡକୁ ଗୋଟିଏ ବସ୍‌ ଆସି ନ ଥିବାବେଳେ ଦୋକାନଗୁଡ଼ିକ ମଧ୍ୟ ଖୋଲି ନାହିଁ। ଫଳରେ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପାଣିରେ ପଡିଛି ।
ଉଦଘାଟନ ହେବା ପୂର୍ବରୁ ନୂଆ ବସଷ୍ଟାଣ୍ଡକୁ ନେଇ ବିବାଦ ଉପୁଜିଥିଲା। ବସଷ୍ଟାଣ୍ଡ ନିର୍ମାଣ ଶୈଳୀରେ ଘରୋଇ ବସ୍‌ ମାଲିକ ସଂଘମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଯେଉଁ ଢ଼ଙ୍ଗରେ ବସଷ୍ଟାଣ୍ଡଟି ନିର୍ମାଣ ହୋଇଛି, ତାହା ବସ୍‌ ରଖିବା ପାଇଁ ଉପଯୋଗୀ ହୋଇପାରିବ ନାହିଁ ବୋଲି ସଂଘ ଅଭିଯୋଗ କରିଥିଲା। ଅନ୍ୟପଟେ ପାଖରେ ଥିବା ପୁରୁଣା ଘରୋଇ ବସଷ୍ଟାଣ୍ଡ ନୂଆ ବସଷ୍ଟାଣ୍ଡଠାରୁ ଯଥେଷ୍ଟ ଭଲ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା। ଏଭଳି ବାଦ ବିବାଦ ଦେଖାଯିବା ସତ୍ତ୍ବେ ଗତବର୍ଷ ନଭେମ୍ବର ୨୫ତାରିଖରେ ବସଷ୍ଟାଣ୍ଡ ଉଦଘାଟିତ ହୋଇଥିଲା। ମାତ୍ର ଉଦଘାଟନ ଦିବସରୁ ଏପର୍ଯ୍ୟନ୍ତ ସେହି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ତ ଦୂରର କଥା, ବସର ଚକ ମଧ୍ୟ ଏଯାଏ ସେଠାରେ ନ ଗଡ଼ିବା ଏବଂ ବସଷ୍ଟାଣ୍ଡ ପରିସର ଛେଳି ଗୁହାଳ, ମଦ୍ୟପଙ୍କ ଆଡ୍ଡା ପାଲଟିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।