ନୂଆ ଓଡ଼ିଆ ସିନେମା ‘ଅଭିମାନ’ରେ ସବ୍ୟସାଚୀଙ୍କୁ ମିଳିଛି ମନଲାଖି ଭୂମିକା: ସ୍କ୍ରିନ୍‌ ଶେୟାର କରିବେ ଅର୍ଚ୍ଚିତା

ବେଳେବେଳେ ଆଶା କରୁଥିବା ଜିନିଷ ହାତ ପାଆନ୍ତାରେ ମିଳିଯାଏ। ଦେଖୁନାହାନ୍ତି ମନପସନ୍ଦର ଭୂମିକାଟିଏ ପାଇବା ପରେ ଓଲିଉଡ୍‌ର ପାଗଳପ୍ରେମୀ ସବ୍ୟସାଚୀ କେମିତି ଖୁସିରେ ଉଛୁଳୁଛନ୍ତି। ଓଡ଼ିଆ-ଛତିଶଗଡି ଫିଲ୍ମ ‘ମାଲ ମହୁ ଜୀବନ ମାଟି : ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତାଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଅବଶ୍ୟ ଏହାପୂର୍ବରୁ ତାଙ୍କ ଅଭିନୀତ ଅନେକ ସିନେମାରେ ମିଳିଥିବା ଭିନ୍ନ ସ୍ବାଦର ରୋଲ୍‌ଗୁଡିକୁ ବେଶ୍‌ ସୁଚାରୁ ରୂପେ ତୁଲାଇଛନ୍ତି। ଅନ୍ୟପକ୍ଷରେ ନୂଆ ଓଡ଼ିଆ ସିନେମା ‘ଅଭିମାନ’ରେ ତାଙ୍କୁ ମିଳିଛି ଏକ ମନଲାଖି ଭୂମିକା। ଏ ସମ୍ପର୍କରେ ସେ କହନ୍ତି, ‘ମନପସନ୍ଦର ରୋଲ୍‌ଟିଏ କିଏ ବା ନ ଚାହେଁ ? ପ୍ରଥମ କଥା ହେଲା ଏହି ଫିଲ୍ମର ଟାଇଟଲ ‘ଅଭିମାନ’ ମୋତେ ବେଶ୍‌ ପ୍ରଭାବିତ କରିଥିଲା। ଯେଉଁ ଭୂମିକାଟି ମିଳିଛି ସେ ବିଷୟରେ ଏବେଠାରୁ କହିବି ନାହିଁ। ସେଥିରେ ଅନେକ କିଛି ସ୍ପେଶାଲ ରହିଛି। ଦର୍ଶକ ଯେତେବେଳେ ସିନେମାଟିକୁ ପରଦାରେ ଦେଖିବେ ସେ ବିଷୟରେ ଜାଣିପାରିବେ। ସିଦ୍ଧାର୍ଥ ମ୍ୟୁଜିକ୍‌ (ପୂର୍ବରୁ ସାର୍ଥକ ଫିଲ୍ମସ) ବ୍ୟାନରରେ ସୀତାରାମ ଅଗ୍ରଓ୍ବାଲଙ୍କ ଦ୍ୱାରା ପ୍ରଯୋଜିତ ଏହା ହେଉଛି ୨୬ ତମ ଚଳଚ୍ଚିତ୍ର। ଖାସ୍‌ କଥା ହେଲା ଏଥିରେ ସବ୍ୟସାଚୀଙ୍କ ସହ ସ୍କ୍ରିନ୍‌ ଶେୟାର କରୁଛନ୍ତି ତାଙ୍କର ପପୁଲାର ଯୋଡି ଅର୍ଚ୍ଚିତା। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ (ବାପି) ଏବଂ ସ୍ବର ସଂଯୋଜନା କରିଛନ୍ତି ବିକାଶ ଦାସ।

Share