Categories: ପୁରୀ

ନୂଆବର୍ଷରୁ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା

ପୁରୀ ଅଫିସ, ୫ା୧୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି ସମସ୍ତ ପ୍ରକାର ସୁବିଧା କରାଯିବ। ସେମାନେ ଯେପରି କୌଣସି ତିକ୍ତ ଅନୁଭୂତି ନ ସାଉଣ୍ଟିବେ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି ସରକାର। ଅନ୍ୟପଟେ ସୁପ୍ରିମ୍‌କୋର୍ଟ ମଧ୍ୟ ଏ ନେଇ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ସ୍ଥାୟୀ ଜୋତାଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ, ଟଏଲେଟ୍‌, ପାନୀୟଜଳ ସୁବିଧା ସାଙ୍ଗକୁ ଶ୍ରଦ୍ଧାଳୁମାନେ ବ୍ୟାରିକେଡରେ କିପରି ଶୃଙ୍ଖଳିତ ଭାବେ ଯାଇ ଦର୍ଶନ କରିବେ ତା’ର ବ୍ୟବସ୍ଥା କରାଯାଉଛି। ନୂଆବର୍ଷରୁ ଭକ୍ତମାନେ ଏହି ସ୍ବତନ୍ତ୍ର ସୁବିଧା ପାଇପାରିବେ। ଏହିସବୁ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ଗତ ୪ ତାରିଖରେ ସୁପ୍ରିମ୍‌କୋର୍ଟ ମଧ୍ୟବର୍ତ୍ତୀକାଳୀନ ରାୟ ଦେଇ ଶ୍ରଦ୍ଧାଳୁଙ୍କ ଲାଗି ସୁବନ୍ଦୋବସ୍ତ କରିବାକୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଲାଗି ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରରେ ଥିବା ଅସ୍ଥାୟୀ ବ୍ୟାରିକେଡକୁ ଆହୁରି ପୂର୍ବ ପାର୍ଶ୍ୱକୁ ଘୁଞ୍ଚାଇ ଦିଆଯିବ ଏବଂ ଏହି ବ୍ୟାରିକେଡ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରୁ ହିଁ ଆରମ୍ଭ ହେବ। ଫଳରେ ବହୁ ସଂଖ୍ୟକ ଭକ୍ତ ବ୍ୟାରିକେଡ ଶେଡ୍‌ ତଳେ ରହିପାରିବେ। ଏହାର କାମ ଗୁରୁବାରଠାରୁ ଆରମ୍ଭ ହୋଇଛି। ବଡ଼ ବଡ଼ ଲୁହା ରେଲିଂ ଆସିଥିବାବେଳେ ଗାତ ଖୋଳା ଚାଲିଛି। ବ୍ରହ୍ମପୁରର ଏକ ଠିକା ସଂସ୍ଥା ଏହାର କାମ ନେଇଛି। ସେହିପରି ବଡ଼ ଆଖଡା ମଠ ପାଖରେ ସ୍ଥାୟୀ ଜୋତା ଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ, ପାନୀୟଜଳ ଏବଂ ଟଏଲେଟ୍‌ ବ୍ୟବସ୍ଥା କରାଯିବ। ଏ ସବୁର କାମ ଆରମ୍ଭ ହୋଇଯାଇଛି। ଚଳିତମାସ ଶେଷ ସୁଦ୍ଧା କାମ ସମ୍ପୂର୍ଣ୍ଣ କରାଯିବାକୁ ସ୍ଥିର ହୋଇଛି। ଏ ସମ୍ପର୍କରେ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ ଲାଗି ଆସୁଥିବା ଶ୍ରଦ୍ଧାଳୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ଯତ୍ନବାନ ଅଛି। ତେଣୁ ସବୁ ପ୍ରକାର ସୁବିଧା ସୁଯୋଗ କରାଯିବ। ଜୋତା ଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ, ପାନୀୟ ଜଳ, ଟଏଲେଟ୍‌ର ସ୍ଥାୟୀ ବ୍ୟବସ୍ଥା କରାଯାଉଛି। ବ୍ୟାରିକେଡ ଘୁଞ୍ଚତ୍ବା କାମ ଆରମ୍ଭ ହୋଇଛି। ଆସନ୍ତା ନୂଆବର୍ଷରୁ ଭକ୍ତଙ୍କୁ ଏ ସବୁର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖି କାମ ଚାଲିଛି।