ନୀଳାଚଳରେ ଚାକିରି ନାଁରେ ଠକେଇ, ୩ ଗିରଫ

କଳିଙ୍ଗନଗର,୧୦।୮ (ଡି.ଏନ.ଏ.): କଳିଙ୍ଗନଗରସ୍ଥିତ ନୀଳାଚଳ କାରଖାନାରେ ଚାକିରି କରାଇ ଦେବା ନାଁରେ ନକଲି ଗେଟ୍‌ ପାସ ଦେଇ ୨ ଜଣ ଯୁବକଙ୍କୁ ଠକିଥିବା ୩ ଅଭିଯୁକ୍ତଙ୍କୁ କଳିଙ୍ଗନଗର ପୋଲିସ ମଙ୍ଗଳବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ କୋରେଇ ଥାନା ସୁନ୍ଦର ପୋଖରୀ ଗାଁର ସଞ୍ଜୟ କୁମାର ଲେଙ୍କା (୨୯), କଳିଙ୍ଗନଗର ଥାନା ଡୁବୁରୀ ହାଟ ପଡ଼ିଆର ବୁଲୁ ବେହେରା (୨୯) ଓ ଏହି ଥାନା ବାରଗାଡ଼ିଆ ଗାଁର ଶତ୍ରୁଜିତ ଦେଓ (୨୪)। ଏନେଇ ଥାନାରେ ଏକ ମାମଲା ନଂ.୧୭୦ା୨୨ ରୁଜୁ ହୋଇଛି।
ଗିରଫ ଅଭିଯୁକ୍ତମାନେ ଭଦ୍ରକ ଜିଲା ଧାମନଗର ଥାନା ମୁସ୍ତାଫରପୁରର ଦୀପୁନ ସାହୁ ଓ ଖାବିଏମ ରସୁଲଙ୍କୁ ନୀଳାଚଳ କାରଖାନାରେ ଚାକିରି କରାଇ ଦେବାକୁ କହିଥିଲେ। ସେହି ଅନୁସାରେ ୟୁନାଇଟେଡ୍‌ ଇନ୍‌ଫ୍ରାକୋର୍‌ ଲିମିଟେଡ୍‌ ନାମକ ଠିକା ସଂସ୍ଥା ନାଁରେ ଗେଟପାସ ବନାଇ ୨ ଛାତ୍ରଙ୍କୁ ଦେଇଥିଲେ। ସେମାନେ ସୋମବାର ସକାଳୁ ଗେଟ ପାସ ଧରି କାରଖାନାରରେ ପ୍ରବେଶ ପାଇଁ ଯିବା ସମୟରେ ସୁରକ୍ଷା କର୍ମୀ ସେମାନଙ୍କ ଗେଟ ପାସ ତନଖି କରିବାରୁ ଏହା ନକଲି ବୋଲି ଜାଣିବାକୁ ପାଇଥିଲେ। ଏନେଇ ସେମାନେ କାରଖାନା ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିବା ପରେ ସୁରକ୍ଷା ଅଧିକାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ ଅଭିଯୁକ୍ତମାନଙ୍କୁ ସୋମବାର ରାତିରେ ଗିରଫ କରିଥିଲା।